ନୂଆଦିଲ୍ଲୀ: ନୂଆ ବର୍ଷ ଆରମ୍ଭ ହେବାକୁ ମାତ୍ର ଅଳ୍ପଦିନ ରହିଲା । ଏହା ପୂର୍ବରୁ ଜନସାଧାରଣ ଦରଦାମ ବୃଦ୍ଧିର ଶିକାର ହେବାକୁ ଯାଉଛନ୍ତି । ଆଜିଠାରୁ ରାସ୍ତାରେ ଗାଡ଼ି ଚଳାଇବା ଲୋକଙ୍କ ପାଇଁ ମହଙ୍ଗା ହେଲା । କହିବାକୁ ଗଲେ ନୂଆଦିଲ୍ଲୀରେ ସିଏନଜି ଦରରେ ପରିବର୍ତ୍ତନ ଘଟିଛି । ଏହି ନୁଆ ଦର ଆଜି ସକାଳ ୬ଟାରୁ ଲାଗୁ କରାଯାଇଛି । ତେବେ ଦିଲ୍ଲୀରେ ପୂର୍ବତନ ସିଏନଜି ଦର ୧କିଲୋ ପିଛା ୭୮.୬୧ ଟଙ୍କା ରହିଥିଲା । ତାହା ନୂଆ ଦରରେ ପରିବର୍ତ୍ତନ ହୋଇ ୭୯.୫୬ ଟଙ୍କାରେ ପହଁଚିଛି । ତେଣୁ ଆପଣଙ୍କୁ ୯୫ପଇସା ଅଧିକ ଦେବା ପାଇଁ ପଡିବ ।
ଏହା ପୂର୍ବରୁ ଆକ୍ଟୋବର ୮ତାରିଖରେ ସିଏନଜି ଦରରେ ପରିବର୍ତ୍ତନ ଘଟିଥିଲା । ଆଇଜିଏଲ ଅନୁସାରେ ୨୦୨୨ ଅକ୍ଟୋବର ୮ତାରିଖରେ ସିଏନଜି ପିଛା ୩ଟଙ୍କା ବୃଦ୍ଧି ଘଟିଥିଲା । ଏହାପରେ ସିଏନଜି ଦର ୭୫.୬୧ ଟଙ୍କାରୁ ୭୮.୬୧ ଟଙ୍କାରେ ପହଁଚିଥିଲା । ଏହି ପଦକ୍ଷେପ ସେତେବେଳେ ନିଆଯାଇଥିଲା ଯେତେବେଳେ କେନ୍ଦ୍ରସରକାର ପ୍ରାକୃତିକ ଗ୍ୟାସର ମୂଲ୍ୟ ୪୦ ପ୍ରତିଶତକୁ ବୃଦ୍ଧି କରିଥିଲେ ।
ପ୍ରକୃତରେ କେନ୍ଦ୍ରସରକାର ଉତ୍ପାଦିତ ଗ୍ୟାସର ମୂଲ୍ୟ ପ୍ରତି ବର୍ଷକୁ ୨ଥର ପରିବର୍ତ୍ତନ କରନ୍ତି । ପ୍ରଥମ ପରିବର୍ତ୍ତନ ୩୧ ମାର୍ଚ୍ଚରେ ହେଉଥିବା ବେଳେ ଦ୍ୱିତୀୟ ପରିବର୍ତ୍ତନ ୩୦ ସେପ୍ଟେମ୍ବରରେ କରାଯାଇଥାଏ । ତେବେ ଦରରେ ପ୍ରଥମ ବୃଦ୍ଧି ଏପ୍ରିଲ ୧ତାରିଖରୁ ସେପ୍ଟେମ୍ବର ୩୦ ମଧ୍ୟରେ ଲାଗୁ ହେଉଥିବା ବେଳେ ଦ୍ୱିତୀୟ ବୃଦ୍ଧି ଅକ୍ଟୋବର ୧ତାରିଖରୁ ମାର୍ଚ୍ଚ ୩୦ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇଥାଏ । ତେଣୁ, ସିଏନଜି ର ମୂଲ୍ୟ ବୃଦ୍ଧି ହେତୁ ରାସ୍ତାରେ ଚଳାଚଳ ଗାଡ଼ି ଗୁଡ଼ିକର ମୂଲ୍ୟ ବୃଦ୍ଧି ପାଇବ ।