fbpx

ଇରାନର କୋଇଲା ଖଣିରେ ବିସ୍ଫୋରଣ ଘଟଣା; ୩୦ ମୃତ, ୧୭ ଗୁରୁତର, ଜଣାପଡ଼ିଲା ବିସ୍ଫୋରଣର କାରଣ

ତେହରାନ୍‌: ଲେବନାନରେ ଇରାନ ସମର୍ଥିତ ହିଜବୁଲ୍ଲାରେ ଇସରାଏଲ ଆକ୍ରମଣ ମଧ୍ୟରେ ଇରାନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ପୂର୍ବ ଇରାନ୍ ସ୍ଥିତ ଏକ କୋଇଲା ଖଣିରେ ବିସ୍ଫୋରଣ ଘଟିଛି । ଏଥିରେ ପ୍ରାୟ ୩୦ ଜଣ ପ୍ରାଣ ହରାଇଥିବା ବେଳେ ୧୭ ଜଣ ଗୁରୁତର ଅଛନ୍ତି । ଖବର ପାଇଁ ସ୍ଥାନୀୟ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଗୁରୁତରଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ବିସ୍ଫାରଣ ସମୟରେ ଖଣିରେ ପ୍ରାୟ ୭୦ ଜଣ ଲୋକ କାମ କରୁଥିବା ଜଣାପଡ଼ିଛି । ଏବେବି ଅନେକ ଲୋକ ଖଣି ଭିତରେ ଫସି ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି ।

ଇରାନ୍ ଗଣମାଧ୍ୟମ ସୂତ୍ରରୁ ପ୍ରକାଶ ରବିବାର ଇରାନ୍ ରାଜଧାନୀ ତେହରାନରୁ ପ୍ରାୟ ୫୪୦ କିମି ଦକ୍ଷିଣ ପୂର୍ବ ସ୍ଥିତ ଏକ କୋଇଲା ଖଣିରେ ବିସ୍ଫୋରଣ ଘଟିଥିଲା । ତେବେ ମିଥେନ୍ ଗ୍ୟାସ୍ ଲିକ୍ କାରଣରୁ ଏହି ବିସ୍ପୋରଣ ହୋଇଛି । ଏହି ଘଟଣାରେ ଇରାନ୍ ରାଷ୍ଟ୍ରପତି ମସୌଦ୍ ପେଜେଶକିୟାନ୍ ଶୋକ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଖଣିରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ଏବଂ ତାଙ୍କ ପରିବାରକୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଘଟଣାର ଯାଞ୍ଚ୍ କରାଯିବ ବୋଲି ସେ କହିଛନ୍ତି । କହିରଖୁଛୁ ଏହା ଇରାନରେ ପୂର୍ବରୁ ୨୦୧୭ରେ ହୋଇଥିବା ଏକ ଖଣି ବିସ୍ଫୋରଣରେ ପ୍ରାୟ ୪୨ ଲୋକଙ୍କ ମୃତ୍ୟୁ ହୋଇଥିଲା । ସେହିପରି ୧୩ରେ ପୃଥକ ଖରି ଦୁର୍ଘଟଣାରେ ୧୧ ଶ୍ରମିକ ଏବଂ ୨୦୦୯ରେ ଖଣି ବିସ୍ଫୋରଣରେ ପ୍ରାୟ ୨୦ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା ।

Get real time updates directly on you device, subscribe now.