କାଲିଠୁ କମିବ ଶୀତର ପ୍ରକୋପ, ଘନ କୁହୁଡି ପାଇଁ ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆସନ୍ତାକାଲି ଠାରୁ ଶୀତର ପ୍ରକୋପ କମିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଘନ କୁହୁଡି଼ ନେଇ ସତର୍କତା ଜାରି...

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ଆସନ୍ତାକାଲି ଠାରୁ ଶୀତର ପ୍ରକୋପ କମିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ବିଭାଗ ପକ୍ଷରୁ ମିଳିଥିବା ତାଜା ସୂଚନା ଅନୁସାରେ, ଆଜି ବିଶେଷକରି, କୋରାପୁଟ, ଢେଙ୍କାନାଳ, ସମ୍ବଲପୁର ,ସୁନ୍ଦରଗଡ, କନ୍ଧମାଳ ଓ ଅନୁଗୁଳରେ ଘନ କୁହୁଡିର ଦୃଶ୍ୟକୁ ନେଇ ୟେଲୋ ୱାର୍ଣ୍ଣିଙ୍ଗ ଜାରି ହୋଇଛି।

ହାଲୁକା ଶୀତ ସହ ଘନ କୁହୁଡି ରାଜ୍ୟବାସୀଙ୍କୁ କଲବଲ କରୁଥିବା ବେଳେ ୧୩ ତାରିଖ ପର୍ଯ୍ୟନ୍ତ ଘନ କୁହୁଡି଼ ରହିବ ବୋଲି ଜଣାପଡିଛି।

ଗୁରୁବାର ଜି. ଉଦୟଗିରିରେ ରାତି ତାପମାତ୍ରା ୫.୪ ଡିଗ୍ରୀ ରହିଥିଲା। ଫୁଲବାଣୀରେ ୭.୫ ଡିଗ୍ରୀ, ରାଉରକେଲାରେ ୭.୯, ଦାରିଙ୍ଗିବାଡିରେ ୯, ସୁନ୍ଦରଗଡରେ ୯.୧, ଅନୁଗୁଳ ଓ କେନ୍ଦୁଝରରେ ୯.୬, ଭବାନୀପାଣଟା ଓ ଦାରିଙ୍ଗିବାଡିରେ ପାରଦ ୧୦ ଡିଗ୍ରୀ ରହିଥିଲା।

ଶନିବାର ଫୁଲବାଣୀରେ ରାତି ତାପମାତ୍ରା ୮ ଡିଗ୍ରୀ ଓ ରାଉରକେଲାରେ ୯ ଡିଗ୍ରୀ ରହିବ ବୋଲି ଆକଳନ କରାଯାଇଛି। ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୫ ଡିଗ୍ରୀ ବା ଏହା ଠାରୁ ଅଧିକ ରହିବ ବୋଲି ପୂର୍ବାନୁମାନ କରାଯାଇଛି। ରବିବାର ମଧ୍ୟ ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୪ ଡିଗ୍ରୀରୁ ୧୫ ଡିଗ୍ରୀ ମଧ୍ୟରେ ରହିବ। ରବିବାର ଝାରସୁଗୁଡା, କେନ୍ଦୁଝର, କଳାହାଣ୍ତି, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ ଓ ପୁରୀରେ ସ୍ବଳ୍ପରୁ ମଧ୍ୟମ ଧରଣର କୁହୁଡି ଦୃଶ୍ୟମାନ ହୋଇପାରେ।