fbpx

କ୍ୟାସ୍ କାଣ୍ଡ ପରେ କଂଗ୍ରେସର ଆକ୍ସନ, ଝାଡଖଣ୍ଡର ତିନି ବିଧାୟକ ସସପେଣ୍ଡ

ନୂଆଦିଲ୍ଲୀ: ଝାଡଖଣ୍ଡ କଂଗ୍ରେସର ୩ ବିଧାୟକଙ୍କ ନିକଟରୁ ନଗଦ ଜବତ ହେବା ପରେ ପାର୍ଟି ବଡ କାର‌୍ୟ୍ୟାନୁଷ୍ଠାନ ନେଇଛି। କ୍ୟାସକୁ ନେଇ ରାଜ୍ୟରେ ଅଡୁଆ ସ୍ଥିତିରେ ଥିବା କଂଗ୍ରେସ ଏବେ ତିନି ବିଧାୟକଙ୍କୁ ଦଳରୁ ନିଲମ୍ବିତ କରିଛି। ଝାଡଖଣ୍ଡ କଂଗ୍ରେସର ପ୍ରଭାରୀ ପ୍ରମୁଖ ଅବିନାଶ ପାଣ୍ଡେ ରବିବାର ଏହାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଶନିବାର ଯେଉଁ ବିଧାୟକଙ୍କଠୁ ନଗଦ ଅର୍ଥ ଜବତ କରାଯାଇଥିଲା, ସେମାନଙ୍କୁ ତତ୍କାଳ ପ୍ରଭାବରୁ ଦଳରୁ ନିଲମ୍ବିତ କରାଯାଇଛି।

କଂଗ୍ରେସରୁ ନିଲମ୍ବିତ ତିନି ବିଧାୟକ ହେଉଛନ୍ତି ରାଞ୍ଚିର ଖିଜରୀରୁ ବିଧାୟକ ରାଜେଶ କଚ୍ଛପ, କୋଙ୍ଗାରୀ ସିମଡେଗାର କୋଲେବିରାରୁ ବିଧାୟକ ନମନ ଭିକ୍ସେଲ ଏବଂ ବିଧାୟକ ଇରଫାନ ଇନସାରୀ ସାମିଲ୍। ପଶ୍ଚିମବଙ୍ଗର ହାଓ୍ଵଡାରେ କଂଗ୍ରେସର ଏହି ତିନି ବିଧାୟକଙ୍କୁ ବିପୁଳ ମାତ୍ରାରେ ନଗଦ ସହିତ ଧରା ଯାଇଥିଲା। ଏହି ଅର୍ଥ ଏତେ ପରିମାଣ ଥିଲା ଯେ, ଗଣିବା ପାଇଁ ମେସିନ ମଗାଇବାକୁ ପଡିଥିଲା।

ଏହି ଘଟଣାକୁ ନେଇ ବରିଷ୍ଠ ପୋଲିସ ଅଧିକାରୀ କହିଥିଲେ, ଗୁଇନ୍ଦା ସୂଚନା ଆଧାରରେ ଯେଉଁ ଗାଡିରେ ବିଧାୟକ ଇରଫାନ ଅନସାରୀ, ରାଜେଶ କଚ୍ଛପ ଏବଂ ନମନ ବିକ୍ସେଲ ବସିଥିଲେ, ଉକ୍ତ ଗାଡିକୁ ପାଞ୍ଚଲା ପୋଲିସ ରାନିହାତିରେ ଜାତୀୟ ରାଜପଥ-୧୬ରେ ଅଟକାଇଥିଲେ।

ହାଓ୍ଵଡା ପୋଲିସ ଅଧୀକ୍ଷକ ସ୍ଵାତୀ ଭାଙ୍ଗଲିଆ କହିଥିଲେ, ଆମକୁ ସଠିକ୍ ସୂଚନା ମିଳିଥିଲା ଯେ, କଲା ରଙ୍ଗର ଏକ ଏସୟୁଭି କାରରେ ବିପୁଳ ମାତ୍ରାରେ ଟଙ୍କା ନିଆଯାଉଛି। ଆମେ କାରକୁ ଅଟକାଇ ତଲାସି ନେଇଥିଲୁ। ଆଉ ପ୍ରଚୁର ମାତ୍ରାରେ ଟଙ୍କା ସହ ତିନି ବିଧାୟକଙ୍କୁ ଗିରଫ କରିଛୁ। ଏହି ଘଟଣାକୁ ନେଇ କଂଗ୍ରେସକୁ ଅପଦସ୍ତ ହେବାକୁ ପଡିଛି।

ପୋଲିସ୍ ଅନୁସାରେ ଏସୟୁଭିରେ ବିଧାୟକଙ୍କ ବ୍ୟତୀତ ଦୁଇ ଅନ୍ୟ ଲୋକ ବସିଥିଲେ। ଏହି କାରର ବୋର୍ଡରେ କଂଗ୍ରେସର ନିର୍ବାଚନୀ ଚିହ୍ନ ସହିତ ବିଧାୟକ ଜାମତାଡା ଝାଡଖଣ୍ଡ ଲେଖା ହୋଇଥିଲା। ଅନ୍ୟପଟେ ଝାଡଖଣ୍ଡ କଂଗ୍ରେସ ଦାବି କରିଛି ଯେ, ବିପୁଳ ମାତ୍ରାରେ ଏହି ନଗଦ ହେମନ୍ତ ସୋରେନ ସରକାରଙ୍କୁ ଭାଙ୍ଗିବା ପାଇଁ ଷଡଯନ୍ତ୍ରର ଏକ ଅଂଶ।

Get real time updates directly on you device, subscribe now.