fbpx

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ଉପରୁ ଧ୍ୟାନ ହଟାଇବାକୁ ଚାଲିଛି ଚକ୍ରାନ୍ତ, ଚୁଲିଭଙ୍ଗା ଘଟଣାରେ ବିଜେଡିର ହାତ: କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରୋଷଘର ଚୁଲି ଭଙ୍ଗା ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଏହା ମଧ୍ୟରେ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜୀ । ଏହି ଘଟଣାର ତଦନ୍ତ ପାଇଁ ଦୁଇଟି ଟିମ୍ ଗଠନ କରାଯାଇ ପ୍ରାଥମିକ ପର୍ଯ୍ୟାୟରେ ୪ ଜଣଙ୍କୁ ଜେରା କରାଯାଇଥିଳା । ଧୋପଖାଳ, ପାଇକ, ଦ୍ୱାରପାଳିଆ ଓ ଅଙ୍ଗାରିଆ ସେବାୟତଙ୍କୁ ତଦନ୍ତକାରୀ ଟିମ୍ ଜେରା କରିଥିଲା । ଆଜି ଏହି ଘଟଣାରେ ୪ ଜଣ ଜେଟିପିଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । କେଉଁ ପରିସ୍ଥିତିରେ ଏହି ଅଘଟଣ ଘଟିଲା ତା’ର ଉତ୍ତର ରଖିବା ପାଇଁ ଜେଟିପିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଘଟଣା ଦିନ ସକାଳ ୧୦ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଉକ୍ତ ଜେଟିପିମାନେ ଡ୍ୟୁଟିରେ ରହିଥିବା ବେଳେ ରାତି ୧ଟାରେ ଘଟଣା ଘଟିଥିବା ସିସିଟିଭିରୁ ସ୍ପଷ୍ଟ ହୋଇଛି ।

ତେବେ ଏହା ମଧ୍ୟରେ ସରକାରଙ୍କ ଉପରେ ଦୋଷ ଲଦିଛି କଂଗ୍ରେସ । କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି ଯେ, ମହାପ୍ରଭୁଙ୍କ ରୋଷଘର ଚୁଲିଭଙ୍ଗା ସରକାରୀ ପ୍ରାୟୋଜିତ । ପରିକ୍ରମା ପ୍ରକଳ୍ପ ବିବାଦରୁ ନଜର ହଟାଇବାକୁ ଚୁଲି ଭଙ୍ଗାଯାଇଥିବା ନାଟକ କରାଯାଇଛି । ପ୍ରକଳ୍ପ ଖନନକୁ ନେଇ ଶାସକ ଦଳ ବିଜେଡି ଲୋକସଭାରୁ ଆରମ୍ଭ କରି ବିଧାନସଭାରେ ଅଡ଼ୁଆରେ ପଡ଼ିଛି । ପୂର୍ବରୁ ମୁଖ୍ୟ ସଚିବ, ଡିଜିପି ଯେପରି ତତ୍ପରତା ଦେଖାଇବା କଥା, ସେପରି ଦେଖାଇ ନଥିଲେ । ତେଣୁ ସମସ୍ତ ସମସ୍ୟା ଉପରୁ ଧ୍ୟାନ ହଟାଇବାକୁ ସରକାରୀ କଳ ପକ୍ଷରୁ ଏହି ଚକ୍ରାନ୍ତ କରାଯାଇଛି ।

Get real time updates directly on you device, subscribe now.