fbpx

ଜମ୍ମୁ-କଶ୍ମୀର ପାଇଁ ଇସ୍ତାହାର ଜାରି କଲା କଂଗ୍ରେସ; ପୱନ ଖେରା କହିଲେ- ‘କଶ୍ମୀରର ହୃଦୟ କ୍ଷତରେ ଭରି ରହିଛି’

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ଇସ୍ତାହାର ଜାରି କରିଛି କଂଗ୍ରେସ । ସେପଟେ କଂଗ୍ରେସ ନେତା ପୱନ ଖେରା ଦାବି କରିଛନ୍ତି ଯେ କଂଗ୍ରେସ ଜମ୍ମୁ-କଶ୍ମୀରର ସ୍ଥିତି ବଦଳାଇଦେବ । ଦଳର ଏକ ସାମ୍ବାଦିକ ସମ୍ମିଳନୀରେ ଇସ୍ତାହାର ଉନ୍ମୋଚନ କରି ପୱନ ଖେରା କହିଛନ୍ତି ଯେ ଗତ ୧୦ ବର୍ଷ ଧରି କଶ୍ମୀରର ସ୍ଥିତି କଶ୍ମୀରର ହୃଦୟକୁ କ୍ଷତରେ ଭରି ଦେଇଛି ।

ପୱନ ଖେରା କହିଛନ୍ତି, କ୍ଷତରେ ବାମ ଲଗାଇବାର ସମୟ ଆସିଛି। ଜମ୍ମୁ-କଶ୍ମୀରରେ ଏକ ଲମ୍ବା ରାତି ଶେଷ ହେବାକୁ ଯାଉଛି ଏବଂ ସକାଳ ହେବାକୁ ଯାଉଛି । ପୱନ ଖେରା କହିଛନ୍ତି, ଗତ ୧୦ ବର୍ଷ ଧରି ଦିଲ୍ଲୀରେ ଏକ ସରକାର ଚାଲିଛି ଯେଉଁଥିରେ ଲୋକଙ୍କ ସ୍ୱର ଶୁଣାଯାଉନାହିଁ । ଏହାକୁ ଦୃଷ୍ଟିରେ ରଖି ଆମ ଟିମ୍ ୨୨ଟି ଜିଲ୍ଲା ଗସ୍ତ କରି ଲୋକଙ୍କ ସହ ଆଲୋଚନା କରିଥିଲା ଏବଂ ସେହି ଅନୁଯାୟୀ ଆମର ଇସ୍ତାହାର ପ୍ରସ୍ତୁତ କରାଯାଇଥିଲା ।

ସେ କହିଛନ୍ତି, ଏହି ଇସ୍ତାହାର କେବଳ କାଗଜର ବଣ୍ଡଲ ନୁହେଁ । ଏହା ହେଉଛି ଆମର ଗ୍ୟାରେଣ୍ଟି । ଏହା ଏକ ଅଧିକାରର ବିଷୟ, ଯାହାକୁ ଆମେ ପୂରଣ କରିବୁ । ଏକ ଦଶନ୍ଧି ପରେ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ହେଉଛି । ସେପ୍ଟେମ୍ବର ୧୮, ୨୫ ଓ ଅକ୍ଟୋବର ପହିଲାରେ ତିନୋଟି ପର୍ଯ୍ୟାୟରେ ମତଦାନ ହେବ । ଅକ୍ଟୋବର ୮ତାରିଖରେ ଭୋଟ୍ ଗଣତି ହେବ ।

Get real time updates directly on you device, subscribe now.