fbpx

ପାଣ୍ଠି ଯୋଗାଡ଼ ପାଇଁ ରାହୁଲଙ୍କ ଦସ୍ତଖତ ହୋଇଥିବା ଟି-ସାର୍ଟ ବିକିବ କଂଗ୍ରେସ

ନୂଆଦିଲ୍ଲୀ: ‘ଡୋନେଟ ଫର୍ ଦେଶ୍’ ନାମରେ ଅନଲାଇନ୍ କ୍ରାଉଡଫଣ୍ଡିଂ କରିବା ପରେ ଏବେ କଂଗ୍ରେସ ଫଣ୍ଡିଂ ଯୋଗାଡ଼ ପାଇଁ ଏକ ଭିନ୍ନ ତରିକା ଆପଣେଇବାକୁ ଯାଉଛି। ଏହାକୁ ନେଇ ଶନିବାର କଂଗ୍ରେସ କହିଛି, ୨୦୨୪ଲୋକସଭା ନିର୍ବାଚନ ପୂର୍ବର କ୍ରାଉଡ ଫଣ୍ଡ ଅଭିଯାନ ମାଧ୍ୟମରେ ୨୦କୋଟି ଟଙ୍କା ମାର୍କ ଅତିକ୍ରମ କରିବାକୁ ଆଶା ରଖାଯାଇଛି।

ସୂଚନା ଥାଉକି, କଂଗ୍ରେସ କୋଷାଧ୍ୟକ୍ଷ ଅଜୟ ମାକେନ କହିଛନ୍ତି ଡିସେମ୍ବର ୧୮ ରେ ଦଳ ଆରମ୍ଭ କରିଥିବା ଅନଲାଇନ ଦାନ ଅଭିଯାନ ଶନିବାର ଦୁଇ ଘଣ୍ଟା ମଧ୍ୟରେ ୨ କୋଟି ଟଙ୍କା ଆୟ କରିଛି। ପାର୍ଟି ଫଣ୍ଡ ସଂଗ୍ରହ ଅଭିଯାନ ମାଧ୍ୟମରେ ପୂର୍ବରୁ ୧୭ କୋଟି ଟଙ୍କା ସଂଗ୍ରହ କରିଥିଲା, ଯାହା ଏବେ ୨୦ କୋଟି ଟଙ୍କା ଅତିକ୍ରମ କରିବ ବୋଲି ଆଶା କରାଯାଉଛି।

ତେବେ କ୍ରାଉଡ ଫଣ୍ଡ ଅଭିଯାନରେ ନିଆଯାଇଥିବା ନୂତନ ପଦକ୍ଷେପ ବିଷୟରେ ମାକେନ କହିଛନ୍ତି ୬୭୦ ଟଙ୍କା କିମ୍ବା ତା’ଠାରୁ ଅଧିକ ଦାନ କରୁଥିବା ବ୍ୟକ୍ତିଙ୍କୁ ଦଳର ଏମପି ରାହୁଲ ଗାନ୍ଧୀଙ୍କ ଦସ୍ତଖତ ହୋଇଥିବା ଟି- ସାର୍ଟ ପ୍ରଦାନ କରାଯିବ। ଦ୍ୱିତୀୟତ ୬୭, ୬୭,୦୦୦ କିମ୍ବା ତା’ଠାରୁ ଅଧିକ ଦାନରେ ଭାରତ ଯୋଡ଼ୋ ନ୍ୟାୟା ଯାତ୍ରା କିଟ ମିଳିବ, ଯେଉଁଥିରେ ଏକ ଦସ୍ତଖତ ହୋଇଥିବା ଟି- ସାର୍ଟ, ବ୍ୟାଜ, ଷ୍ଟିକର ଏବଂ ଏକ ବ୍ୟାଗ ଅନ୍ତର୍ଭୁକ୍ତ ହେବ । ଯେଉଁମାନେ କୌଣସି ଦାନ କରି ନାହାନ୍ତି ସେମାନେ ଦାନ କରିଥିବା ବ୍ୟକ୍ତିଙ୍କ ନାମ ସହିତ ରାହୁଲ ଗାନ୍ଧୀଙ୍କ ଦସ୍ତଖତ ପତ୍ର ପାଇବେ।

ତେବେ କଂଗ୍ରେସର ଏଭଳି ପାଣ୍ଠି ଯୋଗାଡ଼କୁ ନେଇ ରାଜନୀତି ମହଲରେ ଅନେକ କିଛି ଚର୍ଚ୍ଚା ହେଉଛି। କୁହାଯାଉଛି ଯେ, ସାରା ଦେଶରେ କଂଗ୍ରେସର ସ୍ଥିତି ବହୁତ ଦୁର୍ବଳ ରହିଛି । ଅନ୍ୟପଟେ ଦଳ ଭିତରେ ଅନ୍ତ କନ୍ଦଳ ଭରି ରହିଥିବା ବେଳେ ଆର୍ଥିକ ସ୍ଥିତି ବି ଅତି ଶୌଚନୀୟ ହୋଇପଡିଛି । ଫଳରେ କଂଗ୍ରେସକୁ ଲଗାତାର ପରାଜୟ ସାମ୍ନା କରିବାକୁ ପଡୁଛି । ଯାହାକୁ ଦୃଷ୍ଟିରେ ରଖି କଂଗ୍ରେସ ଏଭଳି ଏକ ଅନଲାଇନ୍ କ୍ରାଉଡଫଣ୍ଡିଂ ଅଭିଯାନ ଆରମ୍ଭ କରିଛି।

Get real time updates directly on you device, subscribe now.