fbpx

ମୋଦୀ କ୍ୟାବିନେଟରେ ଶିବସେନାକୁ ସାମିଲ କରିବା ନେଇ ଚାଲିଛି ଅଙ୍କକଷା, କଂଗ୍ରେସ ହାତରୁ ଚାଲିଯିବ କି ମହାରାଷ୍ଟ୍ର ସରକାର ?

Advertisement

ମୁମ୍ବାଇ : କେନ୍ଦ୍ରରେ ମୋଦୀ ସରକାରର ଦ୍ଵିତୀୟ କାର୍ଯ୍ୟକାଳର ପ୍ରଥମ ମନ୍ତ୍ରିମଣ୍ଡଳ ସଂପ୍ରସାରଣକୁ ନେଇ ଚର୍ଚ୍ଚା ଜୋର ଧରିଛି। ଗଣମାଧ୍ୟମ ଖବର ଅନୁଯାୟୀ, ମନ୍ତ୍ରିମଣ୍ଡଳ ବିସ୍ତାରରେ ବଡ ଧରଣର ଅଦଳ ବଦଳ ହୋଇପାରେ। ଏମିତି ମଧ୍ୟ ଖବର ଶୁଣିବାକୁ ମିଳୁଛି ଯେ, ବିଜେପି ନିଜର ପୁରୁଣା ସହଯୋଗୀ ଶିବସେନାକୁ ମଧ୍ୟ ଏଥିରେ ସାମିଲ କରି ପାରେ। ଯଦି ଏମିତି ହୁଏ ତେବେ କଣ କଂଗ୍ରେସ ଓ ଏନସିପି ହାତରୁ ମହାରାଷ୍ଟ୍ର ସରକାର ଚାଲି ଯିବ ?

ଦ ଇଣ୍ଡିଆନ୍ସ ଏକ୍ସପ୍ରେସରେ ଛପି ଥିବା ସ୍ତମ୍ଭ ‘ଦିଲ୍ଲୀ କନଫିଡେନସିଆଲ’ ଅନୁଯାୟୀ, ମନ୍ତ୍ରିମଣ୍ଡଳ ବିସ୍ତାର ପାଇଁ ଆଇବିକୁ କଥିତ ଭାବେ ସମ୍ଭାବିତ ମନ୍ତ୍ରୀଙ୍କ ନାମର ଏକ ତାଲିକା ଯାଞ୍ଚ କରିବାକୁ ଦିଆଯାଇଛି। ଏହାର କାରଣ ଏହା ହୋଇପାରେ ଯେ, ବିଜେପି ନିଜର ପୁରୁଣା ସହଯୋଗୀ, ଶିବସେନାକୁ ମହାରାଷ୍ଟ୍ରରେ ଅସ୍ଥିର ସରକାର ଭାଙ୍ଗିବା ପାଇଁ ରାଜି କରାଇପାରେ। ତେଣୁ ଶିବସେନାକୁ ପ୍ରଥମେ ମନ୍ତ୍ରିମଣ୍ଡଳରେ ଉପଯୁକ୍ତ ଥଇଥାନ କରାଯାଇପାରେ। ଏ ନେଇ ଭିତିରି ଅଙ୍କକଷା ଆରମ୍ଭ ହୋଇ ଯାଇଛି।

ଶିବସେନା ନେତା ତଥା ସାମନାର ସଂପାଦକ ସଞ୍ଜୟ ରାଉତ ଗତ କିଛି ସମୟ ହେବ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତି ନରମ ରହିଛନ୍ତି। ହୋଇପାରେ ବିଜେପି ଶିବସେନାକୁ ମନାଇବାକୁ ଚେଷ୍ଟା କରୁଛି ଏବଂ ଉଦ୍ଧବଙ୍କୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ରହିବାକୁ ଦିଆଯାଇପାରେ। ଅନ୍ୟପଟେ ଦେବେନ୍ଦ୍ର ଫଡଣବିସଙ୍କୁ ଦିଲ୍ଲୀରେ ଅବସ୍ଥାପିତ କରାଯାଇପାରେ।

ପୂର୍ଵତନ ମୁଖ୍ୟମନ୍ତ୍ରୀଙ୍କ ପାଖରେ ନାଗପୁରର ଆଶୀର୍ବାଦ ହୋଇଥାଇପାରେ। ମାତ୍ର ବିଜେପି ନେତୃ ବୃନ୍ଦଙ୍କ ସେ ପ୍ରଥମ ପସନ୍ଦ ନୁହନ୍ତି। ବିଶେଷ କରି ଯେବେଠୁ ସେ ପାର୍ଟିର ପୋଷ୍ଟରରେ ନରେନ୍ଦ୍ର ସହିତ ନିଜର ପ୍ରଥମ ନାମ ଦେବେନ୍ଦ୍ର ଲେଖିଥିଲେ। ଅନ୍ୟପଟେ ବିଜେପି ଶିବସେନାକୁ କ୍ଷତିପୂରଣ ଭାବେ ଦୁଇଟି ଉପ ମୁଖ୍ୟମନ୍ତ୍ରୀ ଏବଂ କ୍ୟାବିନେଟରେ ପ୍ରମୁଖ ମନ୍ତ୍ରଣାଳୟ ଦେଇ ପାରେ ବୋଲି ଚର୍ଚ୍ଚା ଚାଲିଛି। ଅନ୍ୟପଟେ ମହାରାଷ୍ଟ୍ରରେ ମହା ବିକାଶ ଅଘାଡିରେ କନ୍ଦଳ ଜାରି ରହିଛି। ଶିବସେନା ଓ କଂଗ୍ରେସ ମଧ୍ୟରେ ତାଳମେଳ ରହୁନି। ଏହାର ଫାଇଦା ଉଠାଇବାକୁ ବିଜେପି ଚାହିଁ ବସିଛି।

ବର୍ତ୍ତମାନ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ୫୩ ମନ୍ତ୍ରୀ ଅଛନ୍ତି। ସମ୍ଵିଧାନ ଅନୁଯାୟୀ, ସର୍ବାଧିକ ୮୧ ମନ୍ତ୍ରୀ ରଖାଯାଇ ପାରିବ। ଏହି ହିସାବରେ ମନ୍ତ୍ରିମଣ୍ଡଳରେ ଆଉ ୨୮ ଜଣଙ୍କୁ ନିଯୁକ୍ତ କରାଯାଇପାରେ।

 

Get real time updates directly on you device, subscribe now.