fbpx

ଆସନ୍ତାକାଲି ସମବାୟ ନିର୍ବାଚନ: ୭୩୧ଟି ସମବାୟ ସମିତିରେ ହେବ ଭୋଟ ଗ୍ରହଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତାକାଲିଠାରୁ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ସମବାୟ ନିର୍ବାଚନ ଆରମ୍ଭ ହେବ । ଏହାପରେ ଆସନ୍ତା ୨୬ ତାରିଖରେ ପ୍ରଥମ ପର୍ଯ୍ୟାୟର ଦ୍ୱିତୀୟ ଦିବସର ନିର୍ବାଚନ ହେବ । ମୋଟ ୩୨୫୨ଟି ପ୍ରାଥମିକ ସମବାୟ ସମିତି ମଧ୍ୟରୁ ୨୫୨୧ଟିରେ ପ୍ରାର୍ଥୀମାନେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇସାରିଛନ୍ତି । ତେଣୁ ଅବଶିଷ୍ଟ ୭୩୧ଟି ସମବାୟ ସମିତିରେ ଭୋଟ ଗ୍ରହଣ କରାଯିବ । ସୁରକ୍ଷା ପାଇଁ ସଶସ୍ତ୍ର ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଚାଲିବ । ଆସନ୍ତାକାଲି ମୋଟ ୪ ଲକ୍ଷ ୫୩ ହଜାର ୬୧୦ ଜଣ ଭୋଟର ସେମାନଙ୍କର ମତଦାନ କରିବେ । ଭୋଟ ଗ୍ରହଣ ପରେ ନିର୍ବାଚନର ଫଳାଫଳ ଘୋଷଣା କରାଯିବ । ନିର୍ବାଚନ ପରିଚାଳନା କରିବା ପାଇଁ ୧୯ ଜଣ ଉପନିବନ୍ଧକ, ୫୮ ଜଣ ସହକାରୀ ନିବନ୍ଧକଙ୍କୁ ନିୟୋଜିତ କରାଯାଇଛି । ସମ୍ବେଦନଶୀଳ ବୁଥମାନଙ୍କରେ ସିସିଟିଭିର ବ୍ୟବସ୍ଥା କରାଯାଇଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ପରେ ସମବାୟ ନିର୍ବାଚନ ପାଇଁ ସମବାୟ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଜୁନ ୧୯ ଓ ୨୬ ତାରିଖରେ ରାଜ୍ୟର ସମସ୍ତ ସମବାୟ ସମିତିରେ ନିର୍ବାଚନ କରାଇବାକୁ ନିର୍ବାଚନ କମିଶନର ଗତ ମାର୍ଚ୍ଚ ୩୦ ତାରିଖରେ ରାଜ୍ୟ ସରକାରଙ୍କୁ ସୁପାରିଶ କରିଥିଲେ । ରାଜ୍ୟର ସମବାୟ ସଂସ୍ଥାଗୁଡ଼ିକର କାର୍ଯ୍ୟକାଳ ଗତ ୨୦୨୦ରୁ ସମାପ୍ତ ହୋଇସାରିଛି ।

Get real time updates directly on you device, subscribe now.