fbpx

କରୋନା କଲର ଟ୍ୟୁନରୁ ମିଳିବ ମୁକ୍ତି, ବନ୍ଦ କରିବାକୁ ସରକାରଙ୍କ ଆଦେଶ

ନୂଆଦିଲ୍ଲୀ: ଗତ ଏକମାସ ଧରି କରୋନା ସଂକ୍ରମଣରେ ଲଗାତାର ହ୍ରାସ ପରିଲକ୍ଷିତ ହୋଇଛି । ରବିବାର ଦେଶରେ କରୋନାର ୧୨୭୦ ମାମଲା ଦେଖିବାକୁ ମିଳିଛି ଏବଂ ୩୧ ଲୋକଙ୍କ କରୋନାରେ ମୃତ୍ୟୁ ହୋଇଛି । ଯାହା ଗତ ଦୁଇବର୍ଷ ମଧ୍ୟରେ କରୋନାର ସବୁଠୁ କମ୍ ମାମଲା ଅଟେ । ସେପଟେ ସଂକ୍ରମଣ ହ୍ରାସ ପାଇଥିବାରୁ ସବୁ ପ୍ରକାର କଟକଣା ମଧ୍ୟ କୋହଳ କରାଯାଇଛି । ୩୧ ମାର୍ଚ୍ଚରୁ ଦେଶରେ କରୋନା ସହ ସମ୍ବନ୍ଧିତ ସବୁ କଟକଣା ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାରି ମଧ୍ୟରେ ଫୋନରେ ବାଜୁଥିବା କରୋନା କଲର ଟ୍ୟୁନକୁ ମଧ୍ୟ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏକ ରିପୋର୍ଟ ଅନୁଯାୟୀ ଖୁବଶୀଘ୍ର କରୋନା ସହ ଜଡ଼ିତ କଲର ଟ୍ୟୁନକୁ ହଟାଇ ଦିଆଯିବ । ବର୍ତ୍ତମାନ ଫୋନ କରିବା ପୂର୍ବରୁ କରୋନା କଲର ଟ୍ୟୁନ ଶୁଣିବାକୁ ମିଳୁଛି ଯେଉଁଥିରେ ଅମିତାଭ ବଚ୍ଚନଙ୍କ ସ୍ୱରରେ କରୋନାରୁ ବର୍ତ୍ତିବା ପାଇଁ ପରାମର୍ଶ ଦିଆଯାଉଛି ।

କରୋନା ମହାମାରୀ ଦ୍ରୁତ ସଂକ୍ରମଣ ପରଠାରୁ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଫୋନରେ ଏହି କଲର ଟ୍ୟୁନ ଶୁଣିବାକୁ ମିଳୁଛି । ପ୍ରଥମେ ଏଥିରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ନେଇ କୁହାଯାଉଥିଲା ଏବଂ ଭାକ୍ସିନ ଆସିବା ପରେ ଭାକ୍ସିନ ନେବା ନେଇ ସୂଚନା ଦିଆଯାଉଛି । କିନ୍ତୁ ଏବେ ଏହା ଆଉ ଶୁଣିବାକୁ ପଡ଼ିବନି । ସୂଚନା ଅନୁଯାୟୀ ଟେଲିକମ ମନ୍ତ୍ରାଳୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଚିଠି ଲେଖି ଏହାକୁ ବନ୍ଦ କରିବା ପାଇଁ ପରାମର୍ଶ ମାଗିଛନ୍ତି ।

କରୋନା ବିରୋଧରେ ଲୋକଙ୍କୁ ସଚେତନ କରିବା ପାଇଁ କୋଭିଡ-୧୯ କଲର ଟ୍ୟୁନର ପ୍ରସାରଣ ଫୋନରେ ବାଜିବା ଯୋଗୁଁ ଅନେକ ସମୟରେ ଲୋକଙ୍କୁ ଅସୁବିଧା ହେଉଥିବାର ମଧ୍ୟ ଦେଖାଦେଇଛି । ଯେତେବେଳେ ଲୋକମାନେ କୌଣସି ଜରୁରୀ ଫୋନ କରିଥାନ୍ତି ଏବଂ ଏହି କଲର ଟ୍ୟୁନ ଯୋଗୁଁ ବିଳମ୍ବ ହୋଇଥାଏ । ଟେଲିକମ ମନ୍ତ୍ରାଳୟ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଉପଭୋକ୍ତାଙ୍କୁ ଫୋନ କରିବା ସମୟରେ ଅସୁବିଧା ହେଉଛି । ଆଉ ଏବେ  କରୋନା ସଂକ୍ରମଣ ମଧ୍ୟ ହ୍ରାସ ପାଇଛି, ତେଣୁ ଏହାକୁ ବନ୍ଦ କରିବା ଦରକାର ବୋଲି କହିଛି ଟେଲିକମ ମନ୍ତ୍ରାଳୟ ।

Get real time updates directly on you device, subscribe now.