fbpx

ବଢ଼ିଲା ବିପଦ! ବାୟୁ ମାଧ୍ୟମରେ ବ୍ୟାପୁଛି କରୋନା: ୬ ଫୁଟରୁ ଅଧିକ ଦୂରତାରେ ଥିଲେ ବି ହେବେ ଆକ୍ରାନ୍ତ

ନୂଆଦିଲ୍ଲୀ, ୧୦ା୫: କରୋନା ଲଢ଼େଇ ପାଇଁ କେବଳ ସାମାଜିକ ଦୂରତା ବଜାୟ ରଖିବା ଯଥେଷ୍ଟ ନୁହେଁ । ୬ ଫୁଟରୁ ଅଧିକ ଦୂରତାକୁ କରୋନା ଭାଇରସ୍ ସହଜରେ ବ୍ୟାପି ପାରୁଛି । ଆମେରିକାର ରୋଗ ନିୟନ୍ତ୍ରଣ ଓ ପ୍ରତିରୋଧ କେନ୍ଦ୍ର (ସିଡିସି) ପକ୍ଷରୁ ଏହି ନୂଆ ଅପଡେଟ୍ ଜାରି କରାଯାଇଛି । ଲୋକମାନେ ଦୂଷିତ ହାତରେ ପାଟି, ନାକ କିମ୍ବା ଆଖିକୁ ସ୍ପର୍ଶ କରିବା ଦ୍ୱାରା ମଧ୍ୟ ସଂକ୍ରମିତ ହୋଇପାରନ୍ତି ବୋଲି ସୂଚନା ଦିଆଯାଇଛି ।

ସିଡିସି ପକ୍ଷରୁ କୁହାଯାଇଛି ଯେ, ନିଃଶ୍ୱାସ, ପ୍ରଶ୍ୱାସ ସମୟରେ ବାୟୁ ଦ୍ୱାରା ଆକ୍ରାନ୍ତ ହେବାର ଆଶଙ୍କା ରହିଥାଏ । ଜଣେ ସଂକ୍ରମିତ ବ୍ୟକ୍ତିଙ୍କ ଠାରୁ ଛଅ ଫୁଟ ଦୂରତା ମଧ୍ୟରେ ସର୍ବାଧିକ ବିପଦ ରହିଥାଏ । ଏହାଠାରୁ ଅଧିକ ଦୂରତା ପର୍ଯ୍ୟନ୍ତ ମଧ୍ୟ ଭୂତାଣୁମାନେ ଯାଇପାରନ୍ତି । କୋଭିଡ-୧୯ ମହାମାରୀ ପାଇଁ ଦାୟୀ ସାର୍ସ-କୋଭ-୨ ଭାଇରସ ମୁଖ୍ୟତଃ ବାୟୁ ମାଧ୍ୟମରେ ବ୍ୟାପିଥାଏ ବୋଲି ଏପ୍ରିଲ ମାସରେ ପ୍ରକାଶିତ ଲାନସେଟ୍ ପତ୍ରିକାର ରିପୋର୍ଟରେ କୁହାଯାଇଥିଲା । ଏହା ବାୟୁ ମାଧ୍ୟମରେ ବ୍ୟାପୁ ଥିବାରୁ ସମସ୍ତ ଚିକିତ୍ସା ପଦକ୍ଷେପ ବିଫଳ ହୋଇଛି ବୋଲି ବ୍ରିଟେନ, ଆମେରିକା ଓ କାନାଡ଼ାର ବିଶେଷଜ୍ଞମାନେ ମତ ଦେଇଛନ୍ତି । ଆମେରିକାର କୋଲରାଡୋ ବାଉଲଡର ବିଶ୍ୱବିଦ୍ୟାଳୟର ଜଣେ ଅଧିକାରୀ ମଧ୍ୟ ଭାଇରସ ବାୟୁ ମାଧ୍ୟମରେ ବ୍ୟାପୁଥିବା ନେଇ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.