fbpx

ଦେଶରେ ଓମିକ୍ରନ ଆତଙ୍କ, ନିର୍ବାଚନ ପାଇଁ କଡାକଡ଼ି ପାଳନ ହେବ କୋଭିଡ୍‌ କଟକଣା: ଇସି

ଲକ୍ଷ୍ନୌ : ଖୁବଶୀଘ୍ର ଆସନ୍ତାବର୍ଷ ଫେବୃଆରୀ-ମାର୍ଚ୍ଚରେ ହେବାକୁ ଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯିବ । ସୂଚୀ ଅନୁସାରେ ନିର୍ବାଚନ ଆୟୋଜନ କରିବାକୁ ସବୁ ଦଳର ରାଜନେତାମାନେ ଦାବି କରିଛନ୍ତି । ତେବେ ଦେଶରେ ଏବେ ଓମିକ୍ରନ ସଂକ୍ରମଣ ବଢ଼ୁଥିବା ବେଳେ ନିର୍ବାଚନୀ ରାଲିରେ ପ୍ରବଳ ଭିଡ଼ ଜମୁଛି । ବିଶେଷ କରି ଉତ୍ତର ପ୍ରଦେଶରେ ବିଭିନ୍ନ ରାଜନୀତିକ ଦଳ ଏବେ ଠାରୁ ପ୍ରଚାର କାମରେ ଲାଗିଛନ୍ତି । ସବୁଦିନ ଏଠାରେ ରାଲି ହେଉଛି । ଏହିକ୍ରମରେ ଆଜି ମୁଖ୍ୟ ନିର୍ବାଚନ କମିଶନ ସୁଶୀଲ ଚନ୍ଦ୍ରା ଭୋଟିଂ ପାଇଁ ଚାଲିଥିବା ପ୍ରସ୍ତୁତ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ କରିଥିଲେ । ତାଙ୍କୁ ଏହି ସମୟରେ ୟୁିରେ ହେଉଥିବା ନିର୍ବାଚନ ରାଲିଗୁଡ଼ିକରେ ହେଉଥିବା ଭିଡ଼ ସମ୍ପର୍କରେ ପଚରା ଯାଇଥିଲା ।

ଏହାର ଉତ୍ତରେ ସେ କହିଛନ୍ତି, ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ଆମ କାମ ଆରମ୍ଭ ହେବ । କାରଣ ସେତେବେଳେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବ । ନିର୍ବାଚନ କମିଶନ ଜାରି କରିଥିବା ଗାଇଡଲାଇନକୁ କଡ଼ାକଡ଼ି ଭାବେ ସେହି ସମୟରେ କାର୍ଯ୍ୟକାରୀ କରାଯିବ । ତେଣୁ ନିର୍ବାଚନ ପାଇଁ ତାରିଖ ଘୋଷଣା ନ ହେବା ଯାଏ, ସବୁ କିଛି ରାଜ୍ୟ ସରକାରଙ୍କ ଉପରେ ରହିଥାଏ । ସେମାନେ ରାଜ୍ୟ ବିର୍ଯ୍ୟୟ ପ୍ରଶମନ ବିଭାଗର ପରାମର୍ଶକ୍ରମେ ପଦକ୍ଷେପ ନେବା ଜରୁରୀ । କରୋନା କଟକଣା ଭିତରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବ । ଆମେ କରୋନା ସଂକ୍ରମଣ ସମ୍ପର୍କରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସହ ଆଲୋଚନା କରିଛୁ । ନିର୍ବାଚନ ତାରିଖ ଘୋଷଣା ହେବା ମାତ୍ରେ ଆମେ ପ୍ରଚାର ଓ ଭୋଟିଂ ପାଇଁ ଗାଇଡଲାଇନ ଜାରି କରିବୁ । ଏହାକୁ ପାଳନ କରିବାକୁ ସମସ୍ତେ ବାଧ୍ୟ ।” ଶ୍ରୀ ଚନ୍ଦ୍ରା ଆହୁରି କହିଛନ୍ତି, ସବୁ ରାଜନୀତିକ ଦଳ ଧାର୍ଯ୍ୟ ସମୟରେ ନିର୍ବାଚନ କରିବା ସପକ୍ଷରେ ରହିଛନ୍ତି । ସେମାନେ ସମସ୍ତେ କରୋନା କଟକଣା ମଧ୍ୟରେ ନିର୍ବାଚନ ଅନୁଷ୍ଠିତ କରାଯାଉ ବୋଲି ଦାବି ରଖିଛନ୍ତି । କିଛି ରାଜନୀତିକ ଦଳ ନିର୍ବାଚନୀ ରାଲିରେ ହେଉଥିବା କଟକଣା ଉଲ୍ଲଙ୍ଘନ ସମ୍ପର୍କରେ କହିଛନ୍ତି । ଏଥିସହ କଟକଣା ଲଗାଇବା ସପକ୍ଷରେ ମଧ୍ୟ ରହିଛନ୍ତି । ତେଣୁ ଏସବୁକୁ ଦୃଷ୍ଟିରେ ରଖି ଗାଇଡଲାଇନ ଜାରି କରାଯିବ ।

Get real time updates directly on you device, subscribe now.