fbpx

ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରିପୋର୍ଟ: ରାଜ୍ୟର ୪ଟି ସହରର ସ୍ଥିତି ବହୁତ ଖରାପ, ଫୁସଫୁସ, ହାର୍ଟ ଓ ବ୍ରେନକୁ ପ୍ରଭାବିତ କରୁଛି ବିଷାକ୍ତ ବାୟୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିକଟରେ ଦେଶର ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣକୁ ନେଇ ଆଶଙ୍କା ପ୍ରକାଶ ପାଇଥିଲା । ସେହିପରି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ସ୍ଥିତି ମଧ୍ୟ ଚିନ୍ତା ବଢ଼ାଇଛି । ଗତ ୮ ବର୍ଷ ମଧ୍ୟରେ ଭୁବନେଶ୍ୱରର ବାୟୁର ସ୍ତର ଭଲ ସ୍ତରରେ ନଥିବା ନେଇ ଗତବର୍ଷ ଡିସେମ୍ବର ମାସରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ରିପୋର୍ଟ ଆସିଥିଲା । ବାୟୁ ପ୍ରଦୂଷଣ କାରଣରୁ କ୍ୟାନସର ଭଳି ଭୟଙ୍କର ବୀମାରୀ ବ୍ୟାପୁଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ବାୟୁ ପ୍ରଦୂଷଣ କାରଣରୁ ରାଜ୍ୟର ୪ଟି ସହରର ସ୍ଥିତି ଏବେ ସଙ୍କଟଜନକ ରହିଥିବା ଜଣାପଡ଼ିଛି । ଭୁବନେଶ୍ୱର, କଟକ, ତାଳଚେର ଓ ଅନୁଗୁଳବାସୀ ଏବେ ବିଷ ବଳୟ ଘେରରେ ରହିଛନ୍ତି । ବାୟୁ ପ୍ରଦୂଷଣ କାରଣରୁ ଛାତି, ଶ୍ୱାସ, ଫୁସଫୁସ ଓ ସ୍ନାୟୁରୋଗ ବଢ଼ୁଥିବା ଦେଖାଯାଉଛି । ଏହା ହୃଦୟ ଓ ମସ୍ତିଷ୍କ ଭଳି ଅନ୍ୟ ମୁଖ୍ୟ ଅଙ୍ଗକୁ ମଧ୍ୟ ପ୍ରଭାବିତ କରୁଥିବା ବିଶେଷଜ୍ଞ କହିଛନ୍ତି । ବୟସ୍କ, ସ୍କୁଲ ପିଲା, ଗର୍ଭବତୀ ଓ ଦୁର୍ବଳ ବ୍ୟକ୍ତିଙ୍କ ମଧ୍ୟରେ ବ୍ରେନ ଷ୍ଟ୍ରୋକ, ଡିମ୍ନେସିଆ, ବିଷାଦଗ୍ରସସ୍ତ, ମୁଣ୍ଡବିନ୍ଧା, ଚିଡ଼ଚିଡ଼ାପଣ, ଚିନ୍ତା ଓ ବୁଦ୍ଧି ହ୍ରାସ ଭଳି ରୋଗ ବଢ଼ୁଥିବା ଦେଖାଯାଉଛି ।

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ର ରିପୋର୍ଟ ମୁତାବକ, ଦେଶର ୨୩୩ଟି ସହର ମଧ୍ୟରୁ ୨ଟିର ସ୍ଥିତି ଭୟଙ୍କର ରହିଥିବା ବେଳେ ଅନୁଗୁଳ ସମେତ ୨୨ଟି ସହରର ବାୟୁ ପ୍ରଦୂଷଣ ବହୁତ ଖରାପ ରହିଛି । ଅନୁଗଳ ତଳକୁ କଟକ, ଭୁବନେଶ୍ୱର, ତାଳଚେର, କେନ୍ଦୁଝର, ନୟାଗଡ଼ ଓ ରାଉରକେଲାର ସ୍ଥିତି ସମ୍ବେଦନଶୀଳ ରହିଥିବା ଜଣାପଡ଼ିଛି । ସେହିପରି ବାୟୁ ପ୍ରଦୂଷଣ କାରଣରୁ ଗାଙ୍ଗେୟ ସମତଳ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ସ୍ୱାସ୍ଥ୍ୟଗତ ସମସ୍ୟା ବଢ଼ିଥିବା ଏକ ଗବେଷଣାରୁ ଜଣାପଡ଼ିଛି । ତେବେ ରାଜ୍ୟରେ କାର୍ଯ୍ୟରତ ଶିଳ୍ପ ସଂସ୍ଥାଗୁଡ଼ିକୁ ଆବଶ୍ୟକ ପ୍ରଦୂଷଣ ନିୟନ୍ତ୍ରଣ ଯନ୍ତ୍ର, ଫିଲଟର, ସ୍କ୍ରବର ବସାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବିଧାନସଭାରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.