fbpx

ପରଲୋକରେ କିମ୍ବଦନ୍ତୀ କ୍ରିକେଟର ଶେନ୍ ୱାର୍ଣ୍ଣ: ଇର୍ଫାନ ଓ ସେହ୍ୱାଗଙ୍କ ସମେତ ଏକାଧିକ କ୍ରିକେଟରଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: କିମ୍ବଦନ୍ତୀ ଅଷ୍ଟ୍ରେଲୀୟ କ୍ରିକେଟର ଶେନ ୱାର୍ଣ୍ଣଙ୍କ ପରଲୋକ ଘଟିଛି । ମାତ୍ର ୫୨ ବର୍ଷ ବୟସରେ ଏହି କ୍ରିକେଟିଂ ଲେଜେଣ୍ଡଙ୍କ ପରଲୋକ ଘଟିଛି । ଅଷ୍ଟ୍ରେଲିଆ ପରି ପେସ ବୋଲିଂ ପାଇଁ ପ୍ରଖ୍ୟାତ ସ୍ଥାନରୁ ଆସି ମଧ୍ୟ ନିଜ ଯାଦୁକରୀ ସ୍ପିନ ଜରିଆରେ ସମଗ୍ର ବିଶ୍ୱକୁ ଚମକ୍ରୃତ କରି ଦେଇଥିଲେ ୱାର୍ଣ୍ଣ । ଟେଷ୍ଟରେ ୭୦୮ ଆଉ ଦିନିକିଆରେ ୨୯୩ ୱିକେଟ ନେଇଥିବା ୱାର୍ଣ୍ଣଙ୍କ ପରଲୋକ କ୍ରିକେଟ ଦୁନିଆ ପାଇଁ ଏକ ଅପୂରଣୀୟ କ୍ଷତି ହୋଇଥିବା ବେଳେ ଶୋକ ପ୍ରକାଶ କରିଛନ୍ତି ଏକାଧିକ କ୍ରିକେଟର ।

ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହ୍ୱାଗ , ଇର୍ଫାନ ପଠାନଙ୍କ ସମେତ କମେଣ୍ଟଟର ହର୍ଷ ଭୋଗଲେ ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ବର୍ତ୍ତମାନର କ୍ରିକେଟରଙ୍କ ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟା, ରୋହିତ ଶର୍ମା, ଜସପ୍ରୀତ ବୁମରା ଓ ଆଜିଙ୍କ୍ୟ ରାହାଣେ ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ଶେନ ୱାର୍ଣ୍ଣ ଦର୍ଶକଙ୍କୁ ଆକୃଷ୍ଟ କରୁଥିବା ଜଣେ ଖେଳାଳି ଥିଲେ । ହାତରେ ବଲ ଥିଲେ ସେ କୌଣସି ଯାଦୁଗର ଠାରୁ କମ ନୁହନ୍ତି ବୋଲି ଲେଖିଛନ୍ତି ଇର୍ଫାନ ପଠାନ । ବୀରେନ୍ଦ୍ର ସେହ୍ୱାଗ ଲେଖିଛନ୍ତି ୱାର୍ଣ୍ଣଙ୍କ ବିୟୋଗକୁ ବିଶ୍ୱାସ କରିବା କଷ୍ଟସାଧ୍ୟ । ସ୍ପିନକୁ କୁଲ ଭାବରେ ପ୍ରତିଷ୍ଠିତ କରିଥିବା ୱାର୍ଣ୍ଣ ଆଉ ଏହି ଦୁନିଆରେ ନାହାନ୍ତି । ତାଙ୍କ ପରିବାର ପ୍ରତି ମୋର ସମବେଦନା । ୱାର୍ଣ୍ଣଙ୍କ ମୃତ୍ୟୁ ଖବର ପାଇ ମୁଁ ଅତ୍ୟନ୍ତ ଚକିତ ଓ ବିଚଳିତ । ୱାର୍ଣ୍ଣଙ୍କୁ ଭଲ ଭାବରେ ଜାଣିବାର ସୁଯୋଗ ପାଇଥିବାରୁ ମୁଁ ଗର୍ବିତ । ସ୍ପିନ ସହିତ ତାଙ୍କର ଯାଦୁଗରୀ ସର୍ବଦା ଅମର ରହିବ ବୋଲି ଲେଖିଛନ୍ତି ହର୍ଷ ଭୋଗଲେ ।

ମୋ କ୍ୟାରିୟରର ଆରମ୍ଭ ସମୟରେ ତାଙ୍କ ସହିତ ମୋର କିଛି ଅଭୁଲା ସ୍ମୃତି ରହିଛି । ତାଙ୍କର ମୃତ୍ୟୁ ଖବର ଶୁଣି ମୁଁ ଅତ୍ୟନ୍ତ ମର୍ମାହତ ବୋଲି ଲେଖିଛନ୍ତି ପୂର୍ବତନ ରାଜସ୍ଥାନ ରୟାଲ୍ସ ଅଧିନାୟକ ଆଜିଙ୍କ୍ୟ ରାହାଣେ । ୱାର୍ଣ୍ଣ ଜଣେ ବାସ୍ତବ ଚାମ୍ପିୟନ ଥିଲେ, ତାଙ୍କ ମୃତ୍ୟୁରେ କ୍ରିକେଟ ଜଣେ ଚାମ୍ପିୟନଙ୍କୁ ହରାଇଲା ବୋଲି ଲେଖିଛନ୍ତି ରୋହିତ ଶର୍ମା । କ୍ରିକେଟର ଜଣେ ବାସ୍ତବ କିମ୍ବଦନ୍ତୀ ଥିଲେ ୱାର୍ଣ୍ଣ । ସ୍ପିନ ବୋଲିଂରେ ବିପ୍ଲବ ଆଣିଥିବା ୱାର୍ଣ୍ଣ ସର୍ବଦା ମନେ ରହିବେ ବୋଲି ଲେଖିଛନ୍ତି ଜସପ୍ରୀତ ବୁମରା ।

Get real time updates directly on you device, subscribe now.