fbpx

ରୁଷ-ୟୁକ୍ରେନ ଲଢେଇ: ବ୍ୟାରେଲ୍ ପିଛା ୧୧୦ ଡଲାରରେ ପହଞ୍ଚିଲା ଅଶୋଧିତ ତୈଳ, ନିର୍ବାଚନ ପରେ ବଢିବ ପେଟ୍ରୋଲ-ଡିଜେଲ୍ ଦାମ !

ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଜାରି ଯୁଦ୍ଧର ପ୍ରଭାବ ଏବେ ଅନ୍ତର୍ଜାତୀୟ ତୈଳ ବଜାର ଉପରେ ପଡିଛି। ଅଶୋଧିତ ତୈଳ ଦର ବ୍ୟାରେଲ୍ ପିଛା ୧୧୦ ଡଲାରରେ ପହଞ୍ଚିଛି। ଏହା ଗତ ସାତ ବର୍ଷରେ ସର୍ବୋଚ୍ଚସ୍ତରରେ ପହଞ୍ଚିଛି। ଅନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ କ୍ରୁଡ ଓଏଲର ମୂଲ୍ୟ ବୁଧବାର ୫ ପ୍ରତିଶତ ବୃଦ୍ଧି ଘଟିଛି। ଏହା ପରେ ଅଶୋଧିତ ତୈଳ ଦର ବ୍ୟାରେଲ୍ ପ୍ରତି ୧୧୦.୨୩ ଡଲାରରେ ପହଞ୍ଚିଛି। ୨୦୧୪ ଜୁଲାଇ ପରେ ପ୍ରଥମ ଥର ତେଲ ଦର ବ୍ୟାରେଲ୍ ପ୍ରତି ୧୧୦ ଡଲାର ରହିଛି।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ମୂଲ୍ୟ ବୃଦ୍ଧି ପରେ ଭାରତରେ ମଧ୍ୟ ପେଟ୍ରୋଲ-ଡିଜେଲ୍ ଦାମ ବଢିବାର ଆଶଙ୍କା ପ୍ରକାଶ ପାଇଛି। ବିଶେଷଜ୍ଞଙ୍କ ମତରେ ଉତ୍ତର ପ୍ରଦେଶ, ପଞ୍ଜାବ ସମେତ ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନ ପରେ ପେଟ୍ରୋଲ-ଡିଜେଲ୍ ମୂଲ୍ୟ ବଢିବାର ଯଥେଷ୍ଟ ସମ୍ଭାବନା ରହିଛି।

ସୂଚନାଯୋଗ୍ୟମ ୨୦୨୧ ଦୀପାବଳି ପରଠୁ ଦେଶରେ ପେଟ୍ରୋଲ-ଡିଜେଲ୍ ଦାମ୍ ସ୍ଥିର ରହିଛି। ଅନ୍ୟପଟେ ଅଶୋଧିତ ତୈଳ ଦର ଅହେତୁକ ବୃଦ୍ଧି ଘଟି ସାରିଛି। କିନ୍ତୁ କେନ୍ଦ୍ର ସରକାର ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ତେଲ ଦାମରେ କୌଣସି ପରିବର୍ତ୍ତନ କରି ନାହାନ୍ତି। ଅପରପକ୍ଷେ ୟୁକ୍ରେନରେ ରୁଷ ବୋମା ମାଡ କରିବା ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ଘଟିଛି।

ଗତ ଅନେକ ବର୍ଷରୁ କେନ୍ଦ୍ର ସରକାରଙ୍କ ପରିବର୍ତ୍ତେ ସରକାରୀ ତୈଳ କମ୍ପାନୀ ପେଟ୍ରୋଲ-ଡିଜେଲ୍ ଦାମ ସ୍ଥିର କରୁଛନ୍ତି। ଭାରତରେ ପ୍ରତିଦିନ ସକାଳ ୬ଟାରେ ପେଟ୍ରୋଲ-ଡିଜେଲ୍ ଦାମ ଜାରି କରାଯାଏ। ଶେଷ ଥର ନଭେମ୍ବର ମାସ ଆରମ୍ଭରେ ପେଟ୍ରୋଲ-ଡିଜେଲ୍ ଦାମରେ ବୃଦ୍ଧି ଘଟିଥିଲା। ତେବେ ଏହା ପରେ କେନ୍ଦ୍ର ସରକାର ଏକ୍ସାଇଜ ଡ୍ୟୁଟି ୧୦ ଏବଂ ପାଞ୍ଚ ଟଙ୍କା କମ କରି ଜନତାଙ୍କୁ ବଡ ଆଶ୍ଵସ୍ତି ଦେଇଥିଲେ। କିନ୍ତୁ ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନ ସରିବା ପରେ ପେଟ୍ରୋଲ-ଡିଜେଲ୍ ଦର ବଢିବାର ଯଥେଷ୍ଟ ସମ୍ଭାବନା ରହିଛି।

Get real time updates directly on you device, subscribe now.