fbpx

CUET UG ପରୀକ୍ଷା ହୋଇପାରେ ସ୍ଥଗିତ, ଲୋକସଭା ନିର୍ବାଚନ କାର୍ଯ୍ୟକ୍ରମ ପରେ ନିଆଯିବ ଚୂଡ଼ାନ୍ତ ନିଷ୍ପତ୍ତି

ନୂଆଦିଲ୍ଲୀ: CUET UG ଆବେଦନକାରୀଙ୍କ ପାଇଁ ବଡ଼ ଖବର । ଲୋକସଭା ନିର୍ବାଚନ ହେତୁ CUET-UG ପରୀକ୍ଷାର ତାରିଖ ବଦଳିବାର ସମ୍ଭାବନା ରହିଛି । ୟୁଜିସି ଅଧ୍ୟକ୍ଷ ଜଗଦୀଶ କୁମାରଙ୍କ କହିବାନୁସାରେ, ଲୋକସଭା ନିର୍ବାଚନ ସୂଚୀ ଅନୁଯାୟୀ କମନ୍ ୟୁନିଭର୍ସିଟି ପ୍ରବେଶିକା ପରୀକ୍ଷା-ୟୁଜିର କାର୍ଯ୍ୟସୂଚୀ ପରିବର୍ତ୍ତନ କରାଯାଇପାରିବ । ପୂର୍ବରୁ, ନ୍ୟାସନାଲ ଟେଷ୍ଟିଂ ଏଜେନ୍‌ସି (ଏନଟିଏ) ମଙ୍ଗଳବାର ଘୋଷଣା କରିଥିଲା ଯେ ମେ ୧୫ରୁ ୩୧ ପର୍ଯ୍ୟନ୍ତ ପରୀକ୍ଷା ହେବ ଏବଂ ଜୁନ୍‌ ୩୦ରେ ଫଳ ପ୍ରକାଶ ପାଇବ।

ତେବେ, ଅଷ୍ଟାଦଶ ଲୋକସଭା ଗଠନ ଉଦ୍ଦେଶ୍ୟରେ ଭାରତରେ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଛି, ଯାହାର କାର୍ଯ୍ୟସୂଚୀ ଚଳିତ ମାସରେ ଘୋଷଣା ହେବାର ସମ୍ଭାବନା ରହିଛି। ତେଣୁ ଏନଟିଏ ଦ୍ୱାରା ଘୋଷଣା କରାଯାଇଥିବା ତାରିଖ ଅସ୍ଥାୟୀ ଅଟେ। ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏନଟିଏ ସିୟୁଇଟି-ୟୁଜି ତାରିଖ ଚୂଡ଼ାନ୍ତ କରିବ। ମେ’ ୧୫ ତାରିଖରୁ କାର୍ଯ୍ୟସୂଚୀ ଧାର୍ଯ୍ୟ ହେବ ବୋଲି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ମୁଖ୍ୟ କୁମାର କହିଛନ୍ତି। ସିୟୁଇଟି-ୟୁଜି ପାଇଁ ଆବେଦନ ପ୍ରକ୍ରିୟା ମଙ୍ଗଳବାର ଠାରୁ ଆରମ୍ଭ ହୋଇ ମାର୍ଚ୍ଚ ୨୬ରେ ଶେଷ ହେବ।

୨୦୨୨ରେ ଆରମ୍ଭ ହୋଇଥିବା ସିୟୁଇଟି-ୟୁଜି ଦେଶର କୌଣସି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କିମ୍ବା ରାଜ୍ୟ, ଡିମ୍‌ଡ ଓ ବେସରକାରୀ ବିଶ୍ୱବିଦ୍ୟାଳୟ ସମେତ ଅନ୍ୟ ଅଂଶଗ୍ରହଣକାରୀ ଅନୁଷ୍ଠାନରେ ନାମ ଲେଖାଇବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କୁ ସିଙ୍ଗଲ ୱିଣ୍ଡୋ ସୁଯୋଗ ପ୍ରଦାନ କରୁଛି।

Get real time updates directly on you device, subscribe now.