କଟକ ଗଣଦୁଷ୍କର୍ମ ମାମଲା: ପୋଲିସ ଡିଜିଙ୍କୁ ଭେଟିଲେ କଟକ-ବାରବାଟୀ ବିଧାୟିକା ସୋଫିଆ ଫିରଦୋସ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଟକ ଗଣଦୁର୍ଷ୍କମ ମାମଲାରେ ପୋଲିସ ମହାନିର୍ଦ୍ଦେଶକ (ଡିଜି)ଙ୍କୁ ଭେଟିଛନ୍ତି କଟକ-ବାରବାଟୀ ବିଧାୟିକା ସୋଫିଆ ଫିରଦୋସ୍ । ଦୁର୍ଗାପୂଜା ସମୟରୁ କଟକରେ ଏହି ଗଣଦୁଷ୍କର୍ମ ହୋଇଥିଲା । ଏନେଇ ପୀଡ଼ିତାଙ୍କ ପରିବାର ଲୋକେ ପ୍ରଥମେ ପୁରୀଘାଟ ଥାନାରେ ଓ ପରେ ସଦର ବାରଙ୍ଗ ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ । ମାତ୍ର ପୋଲିସ ସେମାନଙ୍କର ଅଭିଯୋଗ ପତ୍ର ଗ୍ରହଣ କରିନଥିଲା ବୋଲି ବିଧାୟିକା ନିଜ ପ୍ରତିକ୍ରିୟା କହିଛନ୍ତି ।

ଏଥିସହିତ ବିଧାୟିକା ସୋଫିଆ କହିଛନ୍ତି, ମହିଳାମାନଙ୍କୁ ସୁରକ୍ଷା ଦେବା ହେଉଛି ପୋଲିସର ପ୍ରଥମ ଦାୟିତ୍ୱ । ପୀଡ଼ିତାଙ୍କ ଅଭିଯୋଗ ଗ୍ରହଣ କରାନଯିବା ପଛର କାରଣ କ’ଣ, ସେନେଇ ତଦନ୍ତ ହେବା ଆବଶ୍ୟକ । ପୋଲିସ ଅଭିଯୋଗ ଗ୍ରହଣ ନକଲେ ସଂପୃକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନିହାତି ଆବଶ୍ୟକ ବୋଲି ସେ ଦାବି କରିଛନ୍ତି । ପୀଡ଼ିତାଙ୍କ ପରିବାରକୁ ସୁରକ୍ଷା ପ୍ରଦାନ କରିବା ସହ ପୀଡ଼ିତାଙ୍କ ପରିଚୟ ଗୋପନ ରଖିବାକୁ ଡିଜିଙ୍କ ପାଖରେ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । ଯଦି ଆବଶ୍ୟକ ପଡ଼େ ତେବେ ଉଭୟ ଥାନା ଘେରାଉ କରାଯିବ ବୋଲି ସୋଫିଆ ଚେତାବନୀ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ନିଜ ପରିବାର ଠାରୁ ଅଧିକ ଭରସା କରୁଥିବା ପ୍ରେମିକ ଶେଷରେ ପ୍ରେମିକାଙ୍କ ବିଶ୍ୱାସରେ ବିଷ ଦେଇଥିଲା । ନିଜର ସାଙ୍ଗମାନଙ୍କ ସହ ମିଶି କଲେଜ ପଢ଼ୁଆ ପ୍ରେମିକାଙ୍କୁ ସଇତାନ ପ୍ରେମିକ ବାରମ୍ବାର ଦୁଷ୍କର୍ମ କରିଥିଲା । ଏହି ଲଜ୍ଜାଜନକ ଘଟଣାକୁ ନେଇ କଟକ ସହରରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା । ବାଦାମବାଡ଼ି ପୋଲିସ ଆଜି ଏହି ମାମଲାରେ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।