fbpx

ଚୋରଙ୍କଠାରୁ ସୁନା କିଣିଲେ ଦୋକାନ ସିଲ୍ ହେବ, ଲାଇସେନ୍ସ ବାତିଲ ହେବ: ସୁନା ଦୋକାନୀଙ୍କୁ DCPଙ୍କ ଚେତାବନୀ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିକଟରେ ରାଜଧାନୀ ଭୁବନେଶ୍ୱରରେ ଚୋରି ମାମଲା ବୃଦ୍ଧି ପାଇଥିବାର ଦେଖାଯାଉଛି । ରାହାଜାନୀ ଗ୍ୟାଙ୍ଗ ରାତିରେ ଲୋକଙ୍କ ଘରେ ପଶି ସୁନା ଚୋରି କରିନେଉଛନ୍ତି । ଏହାପରେ ଚୋରି ସୁନାକୁ ଶାଗ, ମାଛ ଦରରେ ବିକ୍ରି କରୁଥିବା ଦେଖାଯାଉଛି । ଏହି ମାମଲାରେ କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାଡ ଏକ ଗ୍ୟାଙ୍ଗକୁ ଗିରଫ କରିବା ସହିତ ବଡ଼ ଗୁମର ଖୋଲିଛି । ଏହି ଗ୍ୟାଙ୍ଗର ସଦସ୍ୟମାନେ ଡକାୟତି, ସିନ୍ଧି ଚୋରି ଓ ସୁନା ଚେନ୍ ଲୁଟ୍ କରୁଥିବା ଜଣାପଡ଼ିଛି ।

ଖବର ମୁତାବକ, ଏହି ଗ୍ୟାଙ୍କ କେବଳ ନୟାପଲ୍ଲୀ ଅଞ୍ଚଳରୁ ୧୦ରୁ ଅଧିକ ସୁନା ଲୁଟିଛି । ଚୋରି ସୁନାକୁ ଚୋରମାନେ ସୁନା ଅଳଙ୍କାର କିଣୁଥିବା ଦୋକାନୀଙ୍କୁ ବିକ୍ରି କରୁଥିଲେ । ଅଧିକାଂଶ ସମୟରେ ସୁନା ଦୋକାନରେ କାମ କରୁଥିବା କର୍ମଚାରୀଙ୍କର ଚୋରଙ୍କ ସହିତ ଲିଙ୍କ ରହିଥିବା ଜଣାପଡ଼ିଛି । ଏହି କର୍ମଚାରୀମାନେ ଚୋରଙ୍କଠାରୁ ଶସ୍ତାରେ ସୁନା କିଣିବାକୁ ସେମାନଙ୍କର ମାଲିକଙ୍କୁ ପ୍ରବର୍ତ୍ତାଉଥିବା ଜଣାପଡ଼ିଛି । ମାଲିକମାନେ ମଧ୍ୟ ଟଙ୍କା ଲୋଭରେ ପଡ଼ି ଚୋରଙ୍କଠାରୁ କମ୍ ରେଟରେ ସୁନା କିଣୁଥିବା ଦେଖାଯାଉଛି । ଗତ ୬ ବର୍ଷରେ ରାଜଧାନୀର ୮୦ରୁ ଅଧିକ ସୁନା ଦୋକାନୀ ଗିରଫ ହୋଇଥିବା ଜଣାପଡ଼ିଛି ।

ଚୋରଙ୍କଠାରୁ ଶାଗମାଛ ଦରରେ ସୁନା କିଣୁଥିବା ସୁନା ଦୋକାନୀଙ୍କୁ ତାଗିଦ୍ କରିଛନ୍ତି ଡିସିପି । ଏନେଇ ସୁନା ଦୋକାନୀଙ୍କ ପାଇଁ ଏକ ଗାଇଡଲାଇନ୍ ମଧ୍ୟ ଜାରି କରାଯାଇଛି । ସୁନା କିଣିବା ସମୟରେ ରସିଦ୍ ରଖିବାକୁ ଦୋକାନୀଙ୍କୁ କୁହାଯାଇଛି । ନିୟମ ନ ମାନିଲେ ସୁନା ଦୋକାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏପରିକି ଦୋକାନ ଲାଇସେନ୍ସ ବାତିଲ କରାଯିବା ସହିତ ଦୋକାନକୁ ମଧ୍ୟ ସିଲ୍ କରଯାଇପାରେ ବୋଲି କୁହାଯାଇଛି ।

Get real time updates directly on you device, subscribe now.