ପାର୍ସଲ ଭିତରେ ଭୟଙ୍କର ଦୃଶ୍ୟ; dead body ସାଙ୍ଗକୁ ମିଳିଲା ଚିଠି, ୧.୩ କୋଟି ନ ଦେଲେ…

ନୂଆଦିଲ୍ଲୀ: ଆଜିକାଲି ଅଜଣା ପାର୍ସଲକୁ ସମସ୍ତଙ୍କ ଭୟ । କାଳେ ସେଥିରେ ବୋମା ଥିବା ନେଇ ଅଧିକାଂଶ ବ୍ୟକ୍ତି ଘାବରାଇଯାଇଥାନ୍ତି । ବେଳେ ବେଳେ ଗ୍ରାହକଙ୍କୁ ଭୁଲ ପାର୍ସଲ ଡେଲିଭେରୀ ହେଉଥିବା ନେଇ ଅନେକ ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି । ଏଥିମଧ୍ୟରେ ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଳାରେ ଜଣେ ମହିଳାଙ୍କୁ ପାର୍ସଲରେ ଯାହା ମିଳିଳା ଦେଖି ତାଙ୍କ ହୋଶ୍ ଉଡ଼ିଗଲା । ବର୍ତ୍ତମାନ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂତ୍ରରୁ ପ୍ରକାଶ ଗୋଦାବରୀ ଜିଲ୍ଳା ଉଣ୍ଡି ମଣ୍ଡଲ ୟେନ୍ଦାଗାଡ଼ି ଗାଁରେ ଏକ ଭୟାନକ ଘଟଣା ସାମ୍ନାକୁ ଆସିଛି । ଗାଁରେ ବାସ କରୁଥିବା ନାଗା ତୁଳସୀ ନାମକ ଜଣେ ମହିଳା ଘର ନିର୍ମାଣ ପାଇଁ ଆଞ୍ଚଳିକ ସେବା ସମିତି ନିକଟକୁ ଆର୍ଥିକ ସହାୟତା ପାଇଁ ଆବେଦନ କରିଥିଲେ । ଏହା ପରେ ସମିତି ତରଫରୁ ଉକ୍ତ ମହିଳାଙ୍କୁ ଟାଇଲ୍ ପଠାଯାଇଥିଲା । ନାଗା ତୁଳସୀ ପୁଣି ଥରେ ସମିତିକୁ ଆବେଦନ କରିଥିଲେ । ଏଥିରେ ସମିତି ତାଙ୍କୁ ଗୃହ ନିର୍ମାଣ କାର୍ଯ୍ୟ ପାଇଁ ବିଦୁ୍ୟତ ଉପକରଣ ଯୋଗାଇ ଦେବା ନେଇ ପ୍ରତିଶ୍ରୁତି ଦେଇଥିଲେ । ଏହା ପରେ ଆବେଦକ ଜଣଙ୍କୁ ହ୍ୱାଟ୍ସଆପରେ ଏକ ମେସେଜ୍ ପ୍ରାପ୍ତ ହୋଇଥିଲା ଯେଉଁଥିରେ ଲାଇଟ୍, ଫ୍ୟାନ୍ ଏବଂ ସ୍ୱିଚ୍ ଦିଆଯିବା ନେଇ ଉଲ୍ଲେଖ ରହିଥିଲା । ଗୁରୁବାର ଜଣେ ବ୍ୟକ୍ତି ଉକ୍ତ ମହିଳାଙ୍କ ଘରେ ଏକ ପାର୍ସଲ ଦେଇ କହିଥିଲେ କି ସେଥିରେ ବିଦୁ୍ୟତ ଉପକରଣ ଅଛି । ପରେ ତୁଳସୀ ଉକ୍ତ ପାର୍ସଲ ଖୋଲିବା ପରେ ସେ ଭୟଭୀତ ହେବା ସହ ଚକିତ ହୋଇଥିଲେ । ସେ ତାଙ୍କ ପରିବାର ଏବଂ ପୋଲିସକୁ ଏନେଇ ଖବର ଦେଇଥିଲେ । ସେହି ପାର୍ସଲରେ ଶବ ଥିଲା । ଏହା ସହ ଏକ ଚିଠି ମଧ୍ୟ ଥିଲା ଯେଉଁଥିରେ ୧.୩୦ କୋଟି ଟଙ୍କା ଦାବି କରାଯାଇଥିଲା ଏବଂ ଟଙ୍କା ନ ଦେଲେ ପରିବାରକୁ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିପାରେ ବୋଲି ଚେତାବନୀ ଦିଆଯାଇଛି । ପୋଲିସ ସୂଚନା ଅନୁଯାୟୀ ଏହି ଶବ ଜଣେ ୪୫ ବର୍ଷୀୟ ପୁରୁଷର । ପ୍ରାୟ ୪-୫ ଦିନ ପୂର୍ବରୁ ଉକ୍ତ ବ୍ୟକ୍ତିଙ୍କ ମୃତୁ୍ୟ ହୋଇଥିବା ଅନୁମାନ କରାଯାଉଛି । ପୋଲିସ ଶବକୁ ପୋଷ୍ଟମଟମ ପାଇଁ ହସ୍ପିଟାଲ ପଠାଇଛି ଏବଂ ଅଧିକ ତଦନ୍ତ ଜାରି ରହିଛି ।