ଘୁଷୁରୀ କିଡନୀ ଲାଗିଥିବା ବ୍ୟକ୍ତିଙ୍କ ମୃତ୍ୟୁ: ଅପରେସନର ୨ ମାସ ପରେ ଆସିଲା ମରଣ

ନୂଆଦିଲ୍ଲୀ: ଘୁଷୁରୀ କିଡନୀ ନେଇ ଜୀବନଯାପନ କରୁଥିବା ଜଣେ ବ୍ୟକ୍ତି ଆଜି ମୃତ୍ୟୁବରଣ କରିଛନ୍ତି । ଆମେରିକାର ଜଣେ ବ୍ୟକ୍ତିଙ୍କ ଦେହରେ ଘୁଷୁରୀ କିଡନୀ ପ୍ରତିରୋପଣ କରାଯାଇଥିବା ବେଳେ ଅପରେସନର ୨ ମାସ ପରେ ଦେହତ୍ୟାଗ କରିଛନ୍ତି ସମ୍ପୃକ୍ତ ବ୍ୟକ୍ତି । ଏ ନେଇ ପରିବାର ଲୋକ ଏବଂ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି । ଗତ ମାର୍ଚ୍ଚ ମାସରେ ଯୁବକଙ୍କର ଅପରେସନ କରାଯାଇ ଘୁଷୁରୀ କିଡନୀ ଟ୍ରାନ୍ସପ୍ଲାଣ୍ଟ କରାଯାଇଥିବା ବେଳେ ଆଜି ତାଙ୍କର ଦେହାନ୍ତ ହୋଇଛି । ସମ୍ପୃକ୍ତ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ବର୍ତ୍ତମାନ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି ।

ସମ୍ପୃକ୍ତ ଯୁବକଙ୍କ ମୃତ୍ୟୁ ପରେ ଡାକ୍ତରୀ ଟିମ୍ କହିଛନ୍ତି ଯେ, ତାଙ୍କ ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ । ଖିଡନୀ ଟ୍ରାନ୍ସପ୍ଲାଣ୍ଟ ଯୋଗୁଁ କିମ୍ବା ଅନ୍ୟ କୌଣସି କାରଣ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି ତାହା ଏବେ ବି ରହସ୍ୟ ଘେରରେ ରହିଛି । ସୂଚନା ଅନୁସାରେ, ଆମେରିକାର ରିଚାର୍ଡ ନାମକ ଏହି ଯୁବକଙ୍କର ମଧୁମେହ ଯୋଗୁଁ କିଡନୀ ଖରାପ ହୋଇଯାଇଥିଲା । ଏହାପରେ ପ୍ରାୟ ୭ ବର୍ଷ ଡାଇଲିସିସରେ ରହିବା ପରେ ୨୦୧୮ ମସିହାରେ ମାସାଚ୍ୟୁସେଟ ଜେନେରାଲ ହସ୍ପିଟାଲରେ ତାଙ୍କର କିଡନୀ ପ୍ରତିରୋପଣ ହୋଇଥିଲା । କିନ୍ତୁ ୫ ବର୍ଷ ଭିତରେ ଏହି ଟ୍ରାନ୍ସପ୍ଲାଣ୍ଟ ଫେଲ ମାରିଥିଲା । ତେଣୁ ଡାକ୍ତରୀ ଟିମ୍ ଗତ ମାର୍ଚ୍ଚ ମାସରେ ତାଙ୍କ ଦେହରେ ଘୁଷୁରୀ କିଡନୀ ଲଗାଇଥିଲେ । ପରୀକ୍ଷାମୂଳକ ଭାବରେ ଏହି ପଦକ୍ଷେପ ନେଇଥିଲା ମାସାଚ୍ୟୁସେଟ ଜେନେରାଲ ହସ୍ପିଟାଲ ।

ତେବେ ସବୁଠୁ ବଡ଼ ଘଟଣା ହେଉଛି, ଡାକ୍ତର ୨ ବର୍ଷ ପର୍ଯ୍ୟନ୍ତ ଭଲରେ କାମ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ମାସାଚ୍ୟୁସେଟ ଇ ଜେନେସିସ୍ ଅଫ୍ କେମ୍ବ୍ରିଜ କେନ୍ଦ୍ରରେ ରିଚାର୍ଡଙ୍କ ଦେହରେ ଏହି କିଡନୀ ପ୍ରତିରୋପଣ କରାଯାଇଥିଲା । ତେବେ ମଣିଷର କ୍ଷତି କରିବାକୁ ଥିବା ଘୁଷୁରୀର ଜିନକୁ ବାହାର କରି ଦେଇଥିଲେ ଡାକ୍ତର, ଯାହାଦ୍ୱାରା କିଡନୀର କ୍ଷମତା ମଧ୍ୟ ବୃଦ୍ଧି ହୋଇଥିଲା । ତେବେ ଆଜି ରିଚାର୍ଡଙ୍କ ମୃତ୍ୟୁ ପରେ ଏହି ମାମଲାକୁ ନେଇ ଖୁବ ଚର୍ଚ୍ଚା ହେବାରେ ଲାଗିଛି ।