ହରାରେ: ଜିମବାୱେରେ ଶେଷ ହେଲା ଫାଶୀ ଯୁଗ । ନୂଆ ବର୍ଷ ପୂର୍ବରୁ ଅର୍ଥାତ ମଙ୍ଗଳବାର ଅଧିକାରିକ ଭାବେ ଜିମ୍ବାୱେ ରାଷ୍ଟ୍ରପତି ଏମର୍ସନ ମନାଂଗାଗୱା(Emerson Dambudzo Mnangagwa) ଏଭଳି ଏକ ଆଇନରେ ଦସ୍ତଖତ କରିଛନ୍ତି ଯେଉଁଥିରେ ପ୍ରାୟ ୬୦ ଜଣ କଏଦୀଙ୍କ ମୃତ୍ୟୁ ଦଣ୍ଡାଦେଶକୁ ଅଜୀବନ କାରାଦଣ୍ଡା ଦେଶରେ ପରିବର୍ତ୍ତନ କରାଯିବ ।
୨୦୦୫ରୁ ଦକ୍ଷିଣ ଆଫ୍ରିକୀୟ ଦେଶରେ ମୃତ୍ୟୁଦଣ୍ଡ ଉପରେ ରୋକ୍ ଲାଗିଥିଲା । କିନ୍ତୁ ହତ୍ୟା ଦେଶଦ୍ରୋହ ଏବଂ ଆତଙ୍କବାଦ ସହ ଜଡ଼ିତ ଅପରାଧ ପାଇଁ ଅଦାଲତ ମୃତ୍ୟୁ ଦଣ୍ଡାଦେଶ ଜାରି ରଖିଥିଲେ ।
ଜିମ୍ବାୱେ ସରକାରୀ ରାଜପତ୍ରରେ ପ୍ରକାଶିତ The Death Penalty Abolition Act ଅନୁଯାୟୀ ଦର୍ଶାଯାଇଛି କି କୌଣସି ଅପରାଧ ପାଇଁ ଅଦାଲତ ଆଉ ମୃତ୍ୟୁଦଣ୍ଡ ଦେଇପାରିବ ନାହିଁ । ଯେକୌଣସି ବିଦ୍ୟମାନ ମୃତ୍ୟୁଦଣ୍ଡକୁ ଜେଲଦଣ୍ଡରେ ପରିଣତ କରିବାକୁ ପଡ଼ିବ ।
ଜଲ୍ଲାଦ ଚୀନ୍:
୨୦୨୩ରେ ମୃତ୍ୟୁଦଣ୍ଡ ସଂଖ୍ୟା ୮୮୩ରୁ ବୃଦ୍ଧି ପାଇ ୧୧୫୩ରେ ପହଞ୍ଚିଥିଲା । ଏହି ବର୍ଷ ଚୀନରେ ସବୁଠାରୁ ଅଧିକ ଲୋକଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଥିଲା । ଏହି ତାଲିକାରେ ଉତ୍ତର କୋରିଆ, ଭିଏତନାମ୍, ଇରାନ୍, ସାଉଦୀ ଆରବ, ସୋମାଲିଆ ସମେତ ୧୬ଟି ଦେଶର ନାଁ ସାମିଲ ରହିଛି ।
ମଙ୍ଗଳବାର ଆମନେଷ୍ଟି ଇଣ୍ଟରନ୍ୟାସନାଲ ଏହି ଆଇନକୁ ଆଶାର ଆଲୋକ ଭାବେ ଦର୍ଶାଇଛି । ଆମନେଷ୍ଟି ଇଣ୍ଟରନ୍ୟାସନାଲ ହେଉଛି ଏକ ବେସରକାରୀ ସଂଗଠନ ଯାହା ମାନବାଧିକାରକୁ ଗୁରୁତ୍ୱ ଦେଇଥାଏ । ଆମନେଷ୍ଟି ଇଣ୍ଟରନ୍ୟାସନାଲ ଅନୁଯାୟୀ ବିଶ୍ୱସ୍ତରରେ ପ୍ରାୟ ୧୧୩ଟି ଦେଶରେ ମୃତ୍ୟୁଦଣ୍ଡକୁ ସମ୍ପୂର୍ଣ୍ଣ ସମାପ୍ତ କରାଯାଇଛି । ଏଥିମଧ୍ୟରୁ ୨୪ଟି ଆଫ୍ରିକୀୟ ଦେଶ ସାମିଲ ଅଛି ।