fbpx

ଆସିଲା ସର୍ଭେ ରିପୋର୍ଟ: ଦିଲ୍ଲୀ ଦେଶର ସବୁଠୁ ପ୍ରଦୂଷିତ ସହର, ଜାଣନ୍ତୁ ଦ୍ୱିତୀୟ ନମ୍ବରରେ କେଉଁ ସହର ?

ନୂଆଦିଲ୍ଲୀ: ଦେଶର ଜାତୀୟ ରାଜଧାନୀ ନୂଆଦିଲ୍ଲୀ ସବୁଠୁ ପ୍ରଦୂଷିତ ସହରର ମାନ୍ୟତା ପାଇଛି । ଏବେ ପ୍ରଦୂଷଣ ମାମଲାରେ ଦିଲ୍ଲୀ ୧ ନମ୍ବରରେ ପହଞ୍ଚି ଯାଇଛି । ୨୦୧୯ରେ ପ୍ରଦୂଷଣ ତାଲିକାରେ ଦିଲ୍ଲୀର ସ୍ଥାନ ୩ ନମ୍ବରରେ ରହିଥିବା ବେଳେ ଗତବର୍ଷ ଏହା ଦୁଇ ନମ୍ବରକୁ ଆସିଥିଲା । ଏବେ କିନ୍ତୁ ଏହା ୧ ନମ୍ବରରେ ରହିଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କରିଥିବା ସର୍ଭେ ପରେ ଏପରି ସୂଚନା ଦିଆଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ ଦିଲ୍ଲୀର ବାର୍ଷିକ ପିଏମ୍ ୨.୫ ସ୍ତରରେ ୭.୪ ପ୍ରତିଶତ ସୁଧାର ଆସିଛି । ୨୦୧୯ରେ ଏହା ୧୦୮ ଥିବାବେଳେ ଏବେ ୯୯.୭ ପ୍ରତିଶତ ରହିଛି । ଏହାର ଅର୍ଥ ୩ ବର୍ଷ ମଧ୍ୟରେ ଦିଲ୍ଲୀର ପ୍ରଦୂଷଣ ସ୍ଥିତିରେ ମାତ୍ର ୭ ପ୍ରତିଶତ ସୁଧାର ଆସିଛି । ୨୦୧୯ରେ ପ୍ରଦୂଷଣ ମାମଲାରେ ଦିଲ୍ଲୀ ଉପରେ ରହିଥିବା ଗାଜିଆବାଦ ଓ ନୋଏଡାର ସ୍ଥିତି ଯଥେଷ୍ଟ ଭଲ ରହିଛି । ଗାଜିଆବାଦର ପ୍ରଦୂଷଣ ମାତ୍ରା ୨୨.୨ ପ୍ରତିଶତ ଓ ନୋଏଡ଼ାର ପ୍ରଦୂଷଣ ମାତ୍ରା ୨୯.୮ ପ୍ରତିଶତ ହ୍ରାସ ପାଇଛି । ୨୦୧୯ରେ କେନ୍ଦ୍ର ସରକାର ପିଏମ୍ ୧୦ ଓ ପିଏ ୨.୫କୁ ୨୦୨୪ ସୁଦ୍ଧା ୧୩୧ ସହରରେ ୨୦ରୁ ୩୦ ପ୍ରତିଶତ ହ୍ରାସ କରିବା ପାଇଁ ଏନ୍ସିଏପି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ।

୨୦୨୨ ସେପ୍ଟେମ୍ବରରେ କେନ୍ଦ୍ର ସରକାର ୨୦୨୬ ସୁଦ୍ଧା ୪୦ ପ୍ରତିଶତ ପ୍ରଦୂଷଣ ହ୍ରାସ କରିବାକୁ ସଂଶୋଧିକ ଟାର୍ଗେଟ ଦେଇଛନ୍ତି । ଏହି ଲକ୍ଷ୍ୟ ହାସଲ ପାଇଁ ୬,୮୯୭.୦୬ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଦିଲ୍ଲୀ ପ୍ରଦୂଷିତ ସହର ତାଲିକାରେ ୧ ନମ୍ବରରେ ରହିଥିବା ବେଳେ ୨ ନମ୍ବରରେ ଫରିଦାବାଦ, ୩ ନମ୍ବରରେ ଗାଜିଆବାଦ, ୪ ନମ୍ବରରେ ପାଟନା, ୫ ନମ୍ବରରେ ମୁଜାଫରପୁର, ୬ ନମ୍ବରରେ ନୋଏଡ଼ା, ୭ ନମ୍ବରରେ ମିରଟ, ୮ ନମ୍ବରରେ ଗୋବିନ୍ଦଗଡ଼, ୯ ନମ୍ବରରେ ଗୟା ଓ ୧୦ ନମ୍ବରରେ ଯୋଦ୍ଧପୁର ରହିଛି ।

Get real time updates directly on you device, subscribe now.