fbpx

(Video) ଶ୍ରୀଅଙ୍ଗକୁ ବିପଦ ମୂଷା, ଅସରପା! ରତ୍ନସିଂହାସନ ଚାରିପଟେ ଘୂରି ବୁଲୁଛନ୍ତି

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଗର୍ଭଗୃହ ଓ ରତ୍ନସିଂହାସନରେ ଘୂରି ବୁଲୁଛନ୍ତି ବଡ଼ବଡ଼ ମୂଷା ଓ ଅସରପା । ଯାହାକି ମହାପ୍ରଭୁଙ୍କ ଶ୍ରୀଅଙ୍ଗ ପାଇଁ ବିପଦ ସାଜିବ ବୋଲି କୁହାଯାଉଛି । ଏମିତି ପରିସ୍ଥିତି ସୃଷ୍ଟି ହୋଇଛି ସେବାୟତମାନେ ଶ୍ରୀଅଙ୍ଗ ପାଖକୁ ଯିବା ବେଳେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେବାପାଇଁ ଯାଉଥିବା ବେଳେ ମୂଷା ଓ ଅସରପା ପ୍ରତିବନ୍ଧକ ସାଜୁଛନ୍ତି । ଏହି ସମସ୍ୟା ଦୀର୍ଘଦିନ ହେବ ଲାଗି ରହିଥିଲେ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ କୌଣସି ଠୋସ୍ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ । ମୂଷା ଓ ଅସରପା ଶ୍ରୀଅଙ୍ଗକୁ ନଷ୍ଟ କରୁଥିବା ବେଳେ ଶ୍ରୀଅଙ୍ଗ ଓ ଖଣ୍ଡୁଆ ପାଟକୁ ବି ନଷ୍ଟ କରି ଦେଉଛନ୍ତି ।

ପ୍ରଶାସନ ପକ୍ଷରୁ ମୂଷାକୁ ଧରିବା ପାଇଁ ଯଦିଓ ବହୁବାର ପଦକ୍ଷେପ ନିଆଯାଇଛି ତଥାପି ଏହା ସଫଳ ହୋଇ ପାରି ନାହିଁ । ଜଣେ ସେବାୟତ କହିଛନ୍ତି ଯେ ପ୍ରଭୁଙ୍କ ବେଶ ସମୟରେ ଅସରପା ମୁଣ୍ଡ ଉପରେ ଚାଲୁଥିବା ବେଳେ ମୂଷା ଚାରିପଟେ ଘୂରି ବୁଲୁଛନ୍ତି । ସେହିପରି ଭଣ୍ଡାର ଘରେ ମଧ୍ୟ ମୂଷା ଓ ଅସରପା ଭର୍ତ୍ତି ହୋଇଛନ୍ତି । ସେ ଆହୁରି କହିଛନ୍ତି ଯେ ଏନେଇ ଦୀର୍ଘ ୨୦ ବର୍ଷ ହେବ ପ୍ରଶାସନର ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ । ମୂଷା ଧରିବା ପାଇଁ କଳାହାଟ ଦୁଆରେ ଯନ୍ତା ବସୁଥିଲେ ମଧ୍ୟ ମୂଷା ସେଥିରେ ପଡ଼ୁ ନାହାନ୍ତି ।

ମହାପ୍ରଭୁ ରତ୍ନସିଂହାସନରେ ବିରାଜମାନ କରୁଥିବା ବେଳେ ଚାନ୍ଦୁଆ ଉପରେ ମୂଷା ଚାଲୁଛନ୍ତି । ମହାପ୍ରଭୁ ଯେତେବେଳେ ରଥଯାତ୍ରା ସମୟରେ ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି ସେତେବେଳେ ଏହାକୁ ପରିସ୍କାର କରାଯାଇ ଥାଏ । ତେବେ ମୂଷାଙ୍କ ପାଇଁ କୌଣସି ବିପଦ ନଥିବା କଥା ସ୍ପଷ୍ଟ କରିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ । ସେ କହିଛନ୍ତି ଶ୍ରୀଅଙ୍ଗର ସୁରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଚନ୍ଦନ ଓ କର୍ପୁର ଲେପ ଦିଆଯାଉଥିବା ସେ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.