ବାହାଘରର ୪ ବର୍ଷ ପରେ ଅଲଗା ହେବେ ଧନଶ୍ରୀ ଓ ଚହଲ… ସ୍ତ୍ରୀଙ୍କ ଫଟୋ Delete କଲେ କ୍ରିକେଟର

ଧନଶ୍ରୀଙ୍କ ରିଲ୍ସ ଦେଖି ତାଙ୍କୁ ପ୍ରେମ କରି ବସିଥିଲେ ଚହଲ । ହେଲେ ମାତ୍ର ୪ ବର୍ଷରେ ଛିଡ଼ିଗଲା ଦୁହିଁଙ୍କ ସମ୍ପର୍କର ଡୋର ।

ନୂଆଦିଲ୍ଲୀ: ଅଭିନେତ୍ରୀ ତଥା କୋରିଓଗ୍ରାଫର ଧନଶ୍ରୀ ବର୍ମା ଓ କ୍ରିକେଟର ସ୍ୱାମୀ ୟୁଜବେନ୍ଦ୍ର ଚହଲଙ୍କ ସମ୍ପର୍କରେ ଦେଖାଦେଇଛି ଫାଟ । ଯାହାକୁ ନେଇ ଦୁହିଁଙ୍କ ବିବାହ ବ୍ୟବଚ୍ଛେଦର ଖବର ଏବେ ସାମ୍ନାକୁ ଆସିଛି ।

ଧନଶ୍ରୀଙ୍କ ସହ ପ୍ରତିଟି ଫଟୋକୁ ଡିଲେଟ୍ କରିଦେଲେଣି ଚହଲ । ଏପଟେ ଚହଲଙ୍କୁ ଅନଫଲୋ କରିଛନ୍ତି ଧନଶ୍ରୀ । ଦୁହିଁଙ୍କ ଡିଭୋର୍ସ ନେଇ ହେଉଥିବା ଚର୍ଚ୍ଚାକୁ ବହୁ ଜାତୀୟ ଗଣମାଧ୍ୟମ ସତ ବୋଲି କହିଛନ୍ତି ।

ନାଚ ଦେଖି ପ୍ରେମରେ ପଡ଼ିଥିଲେ: ଦୁହେଁ ଅଲଗା ହେବାର କାରଣ ସ୍ପଷ୍ଟ ହୋଇ ନ ଥିବାବେଳେ କିନ୍ତୁ ଧନଶ୍ରୀ ଓ ଚହଲ ଅଲଗା ହେବା ଲାଗି ନିଷ୍ପତ୍ତି ନେଇସାରିଥିବା କୁହାଯାଉଛି ।

ଗତବର୍ଷ ଇନଷ୍ଟାଗ୍ରାମରେ ଧନଶ୍ରୀ ନିଜ ନାଁରୁ ଚହଲ ସରନେମ୍ ହଟାଇବା ପରେ, ଚହଲ ‘ନ୍ୟୁ ଲାଇଫ୍ ଲୋଡିଂ’ କ୍ୟାପଶନ୍ ଲେଖି ଏକ ପୋଷ୍ଟ ଶେୟାର କରିଥିଲେ । ଯାହାପରେ ଉଭୟଙ୍କ ଭିତରେ କିଛି ଠିକ୍ ନ ଥିବା କଥା ଚର୍ଚ୍ଚା ହୋଇଥିଲା ।

୨୦୨୦ ଡିସେମ୍ବର ୧୧ରେ ଧନଶ୍ରୀ ଓ ଚହଲ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଉଭୟଙ୍କ ପ୍ରେମ ବିବାହ ଥିଲା । ଧନଶ୍ରୀଙ୍କ ନାଚର ଦିୱାନା ଥିଲେ ଚହଲ । ଦିନେ ଧନଶ୍ରୀଙ୍କ ରିଲ୍ସ ଦେଖିବା ପରେ ଚହଲ ତାଙ୍କୁ ନାଚ ଶିଖାଇବା ପାଇଁ କହିଥିଲେ । ଯେଉଁଥିରେ ଧନଶ୍ରୀ ରାଜି ମଧ୍ୟ ହୋଇଥିଲେ । ଏହାପରେ ସେମାନେ ପ୍ରେମରେ ପଡ଼ି ବିବାହ ନିଷ୍ପତ୍ତି ନେଇଥିଲେ ।