fbpx

ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ: ଏଣିକି କୃଷି ଓ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଜାରି କରି ପାରିବେ ‘ଫାଇଟୋ ସାନିଟାରୀ ସାର୍ଟିଫିକେଟ୍’, ବିଜ୍ଞପ୍ତି ପ୍ରକାଶ ପାଇଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଭିନ୍ନ କ୍ଷେତ୍ର ପରି ରାଜ୍ୟରେ କୃଷିର ବିକାଶ ଓ କୃଷକଙ୍କ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନେକ ଯୋଜନା ପ୍ରଣୟନ କରିଛନ୍ତି । ତେବେ କୃଷକମାନେ କିପରି କୃଷିଜାତ ସାମଗ୍ରୀ ବିଦେଶକୁ ରପ୍ତାନୀ କରିପାରିବେ ସେନେଇ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏଣିକି କୃଷି କ୍ଷେତ୍ରରେ ଓଡ଼ିଶା ସ୍ୱାବଲମ୍ବୀ ହେବା ସହ ବିଦେଶକୁ ନିଜସ୍ୱ ସାମଗ୍ରୀ ରପ୍ତାନୀ କରିପାରିବ ।

କୃଷି ଓ ଉଦ୍ଭିଦଜାତ ଦ୍ରବ୍ୟ, ଫଳ ଓ ପନିପରିବା ଆଦି ରପ୍ତାନୀ ପାଇଁ ପୂର୍ବରୁ କୋଲକତା ଓ ଫରିଦାବାଦ ଉପରେ ନିର୍ଭର କରିବାକୁ ପଡ଼ୁଥିଲା । ମାତ୍ର ଏଣିକି ଓଡ଼ିଶାରୁ କୀଟମୁକ୍ତି କୃଷିଜାତ ଦ୍ରବ୍ୟର ରପ୍ତାନୀ ସହଜ ହୋଇ ପାରିବ ବୋଲି କୃଷି ସଚିବ କହିଛନ୍ତି । ବିଭିନ୍ନ ଦେଶକୁ କୀଟମୁକ୍ତ ରପ୍ତାନୀ ପାଇଁ ଯୋଗ୍ୟ କୃଷିଜାତ ଦ୍ରବ୍ୟର ‘ଫାଇଟୋ ସାନିଟାରୀ ସାର୍ଟିଫିକେଟ’ ଆବଶ୍ୟକତା ପଡ଼ିଥାଏ । ରପ୍ତାନୀ ହେଉଥିବା କୃଷିଜାତ ଦ୍ରବ୍ୟର ଫାଇଟୋ ସାନିଟାରୀ ସାର୍ଟିଫିକେସନ ବିଶ୍ୱ ଖାଦ୍ୟ ସଂଗଠନ (ଆଇପିପିସି) ଅନୁଯାୟୀ କୀଟମୁକ୍ତ ବାଣିଜ୍ୟ ସୁବିଧା ନିମନ୍ତେ ଗ୍ରହଣ କରାଯାଇଛି । ଆମଦାନୀ କରୁଥିବା ଦେଶର ଆବଶ୍ୟକତା ମୁତାବକ କୀଟମୁକ୍ତ କୃଷିଜାତ ଦ୍ରବ୍ୟର ବିଶ୍ୱ କାରବାରକୁ ସହଜ କରିବା ପାଇଁ ବୈଷୟିକ ଦୃଷ୍ଟିରୁ ନିର୍ଭରଯୋଗ୍ୟ କରାଇବା ପାଇଁ ଫାଇଟୋ ସାନିଟାରୀ ସାର୍ଟିଫିକେଟର ଦରକାର ପଡ଼ିଥାଏ ।

ତେବେ ଏଣିକି କୃଷିଜାତ ଦ୍ରବ୍ୟ ଓ ଉଦ୍ୟାନ କୃଷିଜାତ ଦ୍ରବ୍ୟର ରପ୍ତାନୀ ପାଇଁ ଓଡ଼ିଶା ସରକାରଙ୍କ କୃଷି ବିଭାଗ ଅନ୍ତର୍ଗତ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ ଏବଂ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଏହି ପ୍ରମାଣପତ୍ର ଜାରି କରିପାରିବେ । ଏନେଇ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । କୃଷିଜାତ ସାମଗ୍ରୀର ରପ୍ତାନୀ ପାଇଁ ଆବଶ୍ୟକ ପରୀକ୍ଷଣ ଓ ଯାଞ୍ଚ କରିବା ପରେ କୃଷି ନିର୍ଦ୍ଦେଶାଳୟ ଓ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟର ଅଧିକାରୀମାନେ ଆବଶ୍ୟକ ଫାଇଟୋ ସାନିଟାରୀ ସାର୍ଟିଫିକେଟ ପ୍ରଦାନ କରିପାରିବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି ।

Get real time updates directly on you device, subscribe now.