fbpx

ବିଜ୍ଞପ୍ତି ଜାରି କଲେ ନିର୍ବାଚନ ଆୟୋଗ: ଏଣିକି ବିସ୍ଥାପିତ କଶ୍ମୀର ପଣ୍ଡିତମାନେ ନିର୍ବାଚନରେ ମତଦାନ କରିପାରିବେ

ନୂଆଦିଲ୍ଲୀ: ଆସନ୍ତା ମାସ ୧୯ ତାରିଖରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଆରମ୍ଭ ହେବ । ଏଥିସହିତ ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଗ୍ରହଣ କରାଯିବ । ଏହାପରେ ଜୁନ୍ ୪ ତାରିଖରେ ନିର୍ବାଚନର ଫଳାଫଳ ଘୋଷଣା କରାଯିବ । ତେବେ ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ପର୍ଯ୍ୟାୟକ୍ରମେ ପ୍ରାର୍ଥୀଙ୍କ ଲିଷ୍ଟ ଜାରି କରୁଥିବା ନିର୍ବାଚନକୁ ଅବାଧ, ମୁକ୍ତ ରଖିବା ସହିତ ଶାନ୍ତି ଶୃଙ୍ଖଳାରେ ସମାପନ କରିବା ପାଇଁ ଭାରତୀୟ ନିର୍ବାଚନ ଆୟୋଗ ସମସ୍ତ ପ୍ରକାର ପ୍ରସ୍ତୁତି ଚଳାଇଛନ୍ତି ।

ତେବେ ଏହା ମଧ୍ୟରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଏଣିକି ବିସ୍ଥାପିତ କଶ୍ମୀର ପଣ୍ଡିତମାନେ ନିର୍ବାଚନରେ ମତଦାନ କରିପାରିବେ । କଶ୍ମୀର ବିସ୍ଥାପିତଙ୍କ ମତଦାନ ପାଇଁ ନିର୍ବାଚନ ଆୟୋଗ ବ୍ୟାପକ ଯୋଜନା ପ୍ରସ୍ତୁତ କରିବା ସହିତ ଅଧିସୂଚନା ଜାରି କରିଥିଲେ । କଶ୍ମୀର ବିସ୍ଥାପିତଙ୍କ ପାଇଁ ଜମୁ, ଉଧ୍ୟମପୁର ଓ ନୂଆଦିଲ୍ଲୀରେ ୨୬ ବିଶେଷ ମତଦାନ କେନ୍ଦ୍ର ସ୍ଥାପିତ କରାଯିବ ବୋଲି କୁହାଯାଇଥିଲା । ଏହି ମତଦାନ କେନ୍ଦ୍ର ମାଧ୍ୟମରେ ମତଦାତାଙ୍କୁ ମତଦାନ କରିବାର ସୁବିଧା ମିଳିବ । ପଳାୟନ କରି ଅସ୍ଥାୟୀ ଭାବେ ବିଭିନ୍ନ ସ୍ଥାନରେ ରହି ଆସୁଥିବା ମତଦାତାଙ୍କ ପାଇଁ ଏହା ଉଦ୍ଦିଷ୍ଟ ରହିବ । । ଏହି ସୁବିଧା ବାରାମୂଳା, ଶ୍ରୀନଗର ଓ ଅନନ୍ତନଗର-ରାଜୌରୀ ସଂସଦୀୟ ନିର୍ବାଚନ କ୍ଷେତ୍ର ମତଦାତାଙ୍କ ପାଇଁ ଉପଲବ୍ଧ ବୋଲି କୁହାଯାଇଥିଲା ।

Get real time updates directly on you device, subscribe now.