fbpx

ରାଜ୍ୟରେ କମୁଛି ଶୀତ ପ୍ରକୋପ, ଧିରେ ଧିରେ ବଢ଼ୁଛି ତାପମାତ୍ରା: ଆଜିଠୁ ଉପକୂଳ ଓଡ଼ିଶାରେ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ରାଜ୍ୟରୁ ଶୀତ ଏକ ରକମ ଅପସରି ଯାଇଛି । ଦିନରେ ଗରମ ଅନୁଭୂତ ହେଉଛି । ଏପରିକି ରାତିର ତାପମାତ୍ରା ହ୍ରାସ ପାଇବାରେ ଲାଗିଛି । ଏସବୁ ଭିତରେ ମଝିରେ ମଝିରେ ଅଦିନିଆ ବର୍ଷା ଜନଜୀବନକୁ ମଧ୍ୟ ଅସ୍ତବ୍ୟସ୍ତ କରି ପକାଉଛି । ତେବେ ଶୀତ କମିବା ପରେ ବୁଧବାର ଅପରାହ୍ନରୁ ଉପକୂଳ ଓଡ଼ିଶାର କେତେକ ଜିଲ୍ଳା ଏବଂ ଏହା ସଂଲଗ୍ନ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକରେ ଝଡ଼ବର୍ଷା ସମ୍ଭାବନା ଥିବା ସୋଆ ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଉଭୟ ବଙ୍ଗୋପସାଗର ଓ ଆରବସାଗର ଆଡୁ ଓଡ଼ିଶା ଆଡ଼କୁ ମୁହାଁଉଥିବା ଆର୍ଦ୍ରତାର ବୃଦ୍ଧି ଯୋଗୁଁ ଦିନର ତାପମାତ୍ରାରେ ବୃଦ୍ଧି ଘଟିବ । ଫଳରେ ଏଭଳି ପାଗ ସୃଷ୍ଟି ହେବ ବୋଲି ସୋଆ ପକ୍ଷରୁ ସୂଚନା ଦିଆଯାଇଛି । ଫଳରେ ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଭଳି ଆଭ୍ୟନ୍ତରୀଣ ଜିଲ୍ଳା ଗୁଡ଼ିକ ପ୍ରଭାବିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏଭଳି ପାଣିପାଗ ସହ ପଶ୍ଚିମା ଝଡ଼ର ମିଶ୍ରଣ ଯୋଗୁଁ ୨୬ ତାରିଖରୁ ପଶ୍ଚିମ ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ବର୍ଷା ହେବାର ସମ୍ଭାବନା ରହିଛି ।

ସେହିପରି ୨୮ ଓ ମାର୍ଚ୍ଚ ୧ ତାରିଖକୁ ଛାଡ଼ିଦେଲେ ମାର୍ଚ୍ଚ ପ୍ରଥମ ସପ୍ତାହରେ ବର୍ଷା ଜାରି ରହିବ ବୋଲି ଏହି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ବାରମ୍ବାର ଅଦିନିଆ ବର୍ଷା ହେଉଥିବାରୁ ଓଡ଼ିଶାର ଚାଷୀକୁଳ ବିଶେଷ ଭାବେ ପ୍ରଭାବିତ ହେଉଛନ୍ତି । ବ୍ୟାପକ ଫସଲ ହାନି ସହ ପନିରିବା ଫସଲ ମଧ୍ୟ ନଷ୍ଟ ହେଉଛି । ଯାହାକୁ ନେଇ ଚାଷୀଙ୍କ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି ।

Get real time updates directly on you device, subscribe now.