fbpx

କୋଭିଡର ଆର୍ଥିକ ପ୍ରଭାବ: ରୋଜଗାର ହରାଇଲେ ଏକ କୋଟି ଲୋକ, ୯୭ % ପରିବାରଙ୍କ ଆୟ ହ୍ରାସ

ନୂଆଦିଲ୍ଲୀ : କୋଭିଡ୍‌-୧୯ ମହାମାରୀର ଦ୍ୱିତୀୟ ଲହର ଦେଶକୁ ତଳିତଳାନ୍ତ କରିବା ସହ ଲୋକଙ୍କ ରୋଜଗାର ଉପରେ ଜୋରଦାର ପ୍ରହାର କରିଛି । ଦ୍ୱିତୀୟ ଲହର କାରଣରୁ ଦେଶରେ ଏକ କୋଟିରୁ ଅଧିକ ଲୋକଙ୍କୁ ଚାକିରି ହରାଇବାକୁ ପଡିଛି । ଗତ ବର୍ଷ ମହାମାରୀ ଆରମ୍ଭଠୁ ନେଇ ଏ ପର୍ଯ୍ୟନ୍ତ ୯୭ ପ୍ରତିଶତ ପରିବାରର ଆୟ ହ୍ରାସ ଘଟିଛି । ସେଂଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି(ସିଏମଆଇଇ)ର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ମହେଶ ବ୍ୟାସ ସୋମବାର ଏହାର ସୂଚନା ଦେଇଛନ୍ତି ।

ବ୍ୟାସ୍ କହିଛନ୍ତି, ମେ ମାସରେ ବେରୋଜଗାର ହାର ୧୨ ପ୍ରତିଶତ ରହିଥିବା ବେଳେ ଏପ୍ରିଲରେ ଏହା ୮ ପ୍ରତିଶତ ଥିଲା । ଏହାର ଅର୍ଥ ମେ ମାସରେ ପ୍ରାୟ ଏକ କୋଟି ଭାରତୀୟଙ୍କୁ ଚାକିରି ହରାଇବାକୁ ପଡିଛି । ରୋଜଗାର ହରାଇବାର ଗୋଟିଏ କାରଣ କୋଭିଡ୍‌-୧୯ର ଦ୍ୱିତୀୟ ଲହର । ସେ କହିଛନ୍ତି, ସଂକ୍ରମଣର ପ୍ରକୋପ କମିଲେ ଏବଂ କଟକଣା ହଟିଲେ ଅର୍ଥବ୍ୟବସ୍ଥାରେ ଧିରେ ଧିରେ ସୁଧାର ଆସିବ । ଏଥିରେ କିଛି ମାତ୍ରାରେ ଲୋକଙ୍କ ସମସ୍ୟାର ସମାଧାନ ହୋଇ ପାରିବ।

ବ୍ୟାସ୍ କହିଛନ୍ତି, ଯେଉଁ ଲୋକ ରୋଜଗାର ହରାଇଛନ୍ତି, ସେମାନଙ୍କୁ ନୂତନ ରୋଜଗାର ମିଳିବା ବହୁତ କଷ୍ଟ । ଅସଂଗଠିତ କ୍ଷେତ୍ରରେ ରୋଜଗାର ସହଜରେ ମିଳୁଛି ମାତ୍ର ସଂଗଠିତ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି ହେବାରେ ସମୟ ଲାଗିବ ।ଉଲ୍ଲେଖନୀୟ ଗତ ବର୍ଷ କରୋନା ନିୟନ୍ତ୍ରଣ ପାଇଁ ଦେଶବ୍ୟାପୀ ଲାଗୁ ଲକଡାଉନ କାରଣରୁ ରେରୋଜଗାରୀ ହାର ୨୩.୫ ପ୍ରତିଶତ ରେକର୍ଡସ୍ତରରେ ପହଂଚିଥିଲା । ଅନେକ ବିଶେଷଜ୍ଞ ମତରେ ସଂକ୍ରମଣର ଦ୍ୱିତୀୟ ଲହର ଶିଖରରେ ପହଂଚି ସାରିଛି । ଏବେ ରାଜ୍ୟଗୁଡିକରେ କଟକଣା ଧିରେ ଧିରେ ହଟିବାରେ ଲାଗିଛି । ଆର୍ଥିକ ଗତିବିଧି ଆରମ୍ଭ ହେବାରେ ଲାଗିଛି ।

କିନ୍ତୁ ଦ୍ୱିତୀୟ ଲହର କାରଣରୁ ଦେଶରେ ଏକ କୋଟି ଲୋକ ବେରୋଜଗାର ହୋଇ ଯାଇଛନ୍ତି । ୯୭ ପ୍ରତିଶତ ପରିବାରର ଆୟ କମି ଯାଇଛି । ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଛି । ବ୍ୟାସ୍ କହିଛନ୍ତି, ଏହାକୁ ନେଇ ହୋଇଥିବା ସର୍ଭେରେ ୩ ପ୍ରତିଶତ ଲୋକ ସେମାନଙ୍କର ଆୟ ବଢିଥିବା କହିଥିବା ବେଳେ ୫୫ ପ୍ରତିଶତ ଲୋକ ଆୟ କମିଥିବା କହିଛନ୍ତି । ୪୨ ପ୍ରତିଶତ ଲୋକଙ୍କ ମତରେ ସେମାନଙ୍କର ଆୟ ଗତ ବର୍ଷର ସମାନ ସ୍ଥିତିରେ ରହିଛି ।

Get real time updates directly on you device, subscribe now.