fbpx
BJD SKY
BJD SKY

ନିର୍ବାଚନୀ ପ୍ରସ୍ତୁତି; ‘ବସ୍ତର’ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଜୟ ସଂକଳ୍ପ ଶଙ୍ଖନାଦ ମହାରାଲି, ଜନସଭାକୁ କରିବେ ସମ୍ବୋଧିତ

BJD

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତିକି ବୃଦ୍ଧି ପାଉଛି । ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଗୋଟିଏ ପଟେ ନିର୍ବାଚନୀ ପ୍ରସ୍ତୁତି ଜୋରସୋରରେ ଚାଲିଥିବା ବେଳେ ଅନ୍ୟପଟେ ଜାରି ରହିଛି ଦଳବଦଳ ପ୍ରକ୍ରିୟା । ଭାରତୀୟ ଜନତା ପାର୍ଟି(ବିଜେପି)ର କମାନ ସମ୍ଭାଳିଥିବା ପ୍ରଧାନମନ୍ତ୍ରୀ ମୋଦୀ ଆଜି ଛତିଶଗଡ଼ର ବସ୍ତରରୁ ବିଜୟ ସଂକଳ୍ପ ଶଙ୍ଖନାଦ ମହାରାଲିର ଶୁଭାରମ୍ଭ କରିବେ । ଏହା ସହ ସମ୍ବେଦନଶୀଳ ଲୋକସଭା ଆସନ ଥିବା ଅଞ୍ଚଳରେ ଜନସଭାକୁ ସମ୍ବୋଧିତ କରିବେ ।

ନିର୍ବାଚନକୁ ଦୃଷ୍ଟିରେ ରଖି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛତିଶଗଡ଼ରେ ବିଜେପି ପାଇଁ ଲୋକସଭା ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି । ଛତିଶଗଡ଼ର ବସ୍ତର ଲୋକସଭା ନିର୍ବାଚନୀ ମଣ୍ଡଳୀରେ ଭାନପୁରୀର ଅମାବଲ ଗାଁ ଏବଂ ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲାରେ ଏକ ରାଲିକୁ ସମ୍ବୋଧିତ କରିବେ । ଛତିଶଗଡ଼ରେ ୧୧ଟି ଲୋକସଭା ଆସନ ପାଇଁ ୩ଟି ପର୍ଯ୍ୟାୟରେ ଏପ୍ରିଲ ୧୯, ଏପ୍ରିଲ ୨୬ ଏବଂ ମେ ୭ରେ ମତଦାନ ହେବ । ଅପରପକ୍ଷରେ ‘ମିଶନ ୪୫’କୁ ଧାର ଦେବା ଉଦ୍ଦେଶ୍ୟରେ ମହାରାଷ୍ଟ୍ର ଯିବେ । ଏହି ରାଲି ସନ୍ଧ୍ୟା ୫ଟାରେ ଆୟୋଜିତ ହେବ । ଚନ୍ଦ୍ରପୁର ଲୋକସଭା ଆସନରୁ ରାଜ୍ୟ ଜଙ୍ଗଲ, ସଂସ୍କୃତି ଏବଂ ମତ୍ସ୍ୟ ପାଳନ ମନ୍ତ୍ରୀ ସୁଧୀର ମୁଙ୍ଗତୀୱରଙ୍କୁ ପ୍ରାର୍ଥୀ ଭାବେ ଚୟନ କରାଯାଇଛି । ବିଦର୍ଭ ଅଞ୍ଚଳରେ ସ୍ଥିତ ଏହି ଆସନ ପାଇଁ ଏପ୍ରିଲ ୧୯ରେ ମତଦାନ ହେବ । ଏହା ବ୍ୟତୀତ ରାମଟେକ୍‌, ନାଗପୁର, ଭଣ୍ଡାରା- ଗୋଣ୍ଡିଆ, ଗଢ଼ଚିରୌଲୀ-ଚିମୁର ଲୋକସଭା ଆସନରେ ଏହି ଦିନ ମତଦାନ ହେବ । ବିଜେପି ଛତିଶଗଡ଼ରେ ମୋଟ୍ ୧୧ଟି ଆସନ ଜିତିବା ନେଇ ଲକ୍ଷ ରଖିଛି ଏବଂ ରଣନୀତି ପ୍ରସ୍ତୁତ କରୁଛି । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏଙ୍କ ସହ ମୋଦୀ ଏହି ରାଲିରେ ନଜର ଆସିବେ ।

Get real time updates directly on you device, subscribe now.