ଆସିଲା ହାତୀ ଗଣନା ରିପୋର୍ଟ; ବର୍ଷକରେ ବଢ଼ିଛନ୍ତି ମାତ୍ର ୫ ହାତୀ

ଭୁବନେଶ୍ୱର: ଆସିଲା ରାଜ୍ୟର ହାତୀ ଗଣନା ରିପୋର୍ଟ । ରାଜ୍ୟର ୩୮ଟି ଡିଭିଜନରେ ବର୍ତ୍ତମାନ ୨୧୦୩ ହାତୀ ଅଛନ୍ତି । ରାଜ୍ୟରେ ବର୍ଷକରେ ମାତ୍ର ୫ଟି ହାତୀ ବଢ଼ିଥିବା ରିପୋର୍ଟରୁ ପ୍ରକାଶ ।

ସରିଲା ଶୀତକାଳୀନ ହାତୀ ଗଣନା । ରାଜ୍ୟରେ ମୋଟ୍ ୩୩୪ଟି ବଡ଼ ଦନ୍ତା ହାତୀ, ୧୨ଟି ବଡ଼ ମାଖନା ହାତୀ, ୬୭୮ଟି ମାଇ ହାତୀ ଓ ୪୦୩ଟି ଛୁଆ ହାତୀ ଅଛନ୍ତି । ଢେଙ୍କାନାଳ ଡିଭିଜନରେ ସର୍ବାଧିକ ୧୯୧, କେନ୍ଦୁଝର ଡିଭିଜନରେ ୧୬୦, ଆଠଗଡ଼ ଡିଭିଜନରେ ୧୨୪, ଦେଓଗଡ଼ ଡିଭିଜନରେ ୧୨୩ ଏବଂ ଅନୁଗୁଳ ଡିଭିଜନରେ ୧୧୭ଟି ହାତୀ ଅଛନ୍ତି । କିନ୍ତୁ ୧୩ଟି ଡିଭିଜନରେ ଗୋଟିଏ ବି ହାତୀ ନାହାଁନ୍ତି । ରିପୋର୍ଟ ଅନୁସାରେ ରାଜ୍ୟରେ ହାତୀଙ୍କ ସଂଖ୍ୟାରେ ହ୍ରାସ ଦେଖିବାକୁ ମିଳିଛି । ପୂର୍ବରୁ ହୋଇଥିବା ହାତୀ ଗଣନା ପରେ ଚଳିତ ହାତୀ ଗଣନା ମଧ୍ୟରେ ୪୮ ହାତୀ ପ୍ରାଣ ହରାଇଥିବା ଜଣାପଡ଼ିଛି । ହାତୀ ଗଣନା ଯେପରି ଦୁଇ ଥର ନ ହୁଏ ସେଥିପାଇଁ ସମସ୍ତ ପ୍ରସ୍ତୁତି କରାଯାଇଥିଲା । ଜିପିଏସ୍ ମାଧ୍ୟମରେ ହାତୀ ସଂଖ୍ୟା ନିର୍ଣ୍ଣୟ କରାଯାଇଛି । ପୂର୍ବ ଗଣନାରେ ରାଜ୍ୟରେ ମୋଟ୍ ୨ ହଜାର ୯୮ଟି ହାତୀ ଥିବା ଜଣାପଡ଼ିଥିଲା ।