ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜଣେ ସରକାରୀ କର୍ମଚାରୀଙ୍କ ପେନସନକୁ ନେଇ ଓଡ଼ିଶା ହାଇକୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି । ବିଚାରାଧୀନ ଭିଜିଲାନ୍ସ ମାମଲା ଆଧାରରେ ପେନସନ୍ ସୁବିଧା ବନ୍ଦ କରିବା ଘଟଣାକୁ ହାଇକୋର୍ଟ ଅବୈଧ ଓ ମନମୁଖୀ ବୋଲି ଦର୍ଶାଇଛନ୍ତି । ଏକ ମାମଲାରେ ପାଖାପାଖି ୭ ବର୍ଷ ତଳେ ଅବସର ଗ୍ରହଣ କରିଥିବା ଜଣେ କର୍ମଚାରୀଙ୍କ ପେନସନ୍ ଓ ଗ୍ରାଚ୍ୟୁଟି ୩ ମାସ ମଧ୍ୟରେ ପ୍ରଦାନ କରିବାକୁ କୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ମୁତାବକ, ୧୯୮୪ ମସିହାରେ ଜଣେ ବ୍ୟକ୍ତି ଅର୍ଥ ବିଭାଗ ଅଧିନରେ ନିରୀକ୍ଷକ ଭାବେ ଯୋଗ ଦେଇଥିଲେ । ୨୦୧୦ରେ ସେ ବାଣିଜ୍ୟକର ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା । ଏଥିସହିତ ତାଙ୍କ ବିରୋଧରେ ଦୁଇଟି ଅପରାଧିକ ମାମଲା ରୁଜୁ ହୋଇଥିଲା । ୨୦୧୭ ମସିହା ଡିସେମ୍ବର ୩୧ ତାରିଖରେ ସେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସହକାରୀ ଆର୍ଥିକ ପରାମର୍ଶଦାତା ପଦରୁ ଅବସର ଗ୍ରହଣ କରିଥିଲେ । ଭିଜିଲାନ୍ସ ପ୍ରକ୍ରିୟା ଆଧାରେ ତାଙ୍କର ଅବସର ସୁବିଧା ଓ ନିୟମିତ ପେନସନ ବନ୍ଦ କରାଯିବାକୁ ବିରୋଧ କରି ବ୍ୟକ୍ତି ଜଣଙ୍କ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କେବଳ ଭିଜିଲାନ୍ସ ମାମଲା ବିଚାରାଧୀନ ରହିବା ଅପରାଧିକ ପ୍ରକ୍ରିୟା ଆରମ୍ଭ କରିବା ସହ ସମାନ ନୁହେଁ । ତେଣୁ ଆବେଦନକାରୀଙ୍କ ପେନସନ ବନ୍ଦ କରିବା ପାଇଁ ଏହାକୁ ଆଧାର ଭାବେ ବ୍ୟବହାର କରାଯାଇ ପାରିବ ନାହିଁ ବୋଲି କୋର୍ଟ କହିଥିଲେ ।