fbpx

ବିଧାନସଭା ବଜେଟ୍‍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଶେଷ; ୧୦ ତାରିଖ ପର୍ଯ୍ୟନ୍ତ ଗୃହ ମୁଲତବୀ

ଭୁବନେଶ୍ୱର : ବିଧାନସଭା ବଜେଟ୍‍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଆଜି ଶେଷ ହୋଇଛି । ଅପରାହ୍ଣ ୪ଟାରେ ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉତ୍ତର ରଖିଥିଲେ । ପରେ ବଚସ୍ପତି ବିକ୍ରମ କେଶରୀ ଆରୁଖ ଚଳିତ ବଜେଟ୍‍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଶେଷ ହେବା ବିଷୟ ଘୋଷଣା କରିବା ସହ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଗୃହକୁ ମୁଲତବୀ
ରଖିଛନ୍ତି । ତେବେ ବିଧାନସଭାରେ ଆଜି ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହକାର୍ଯ୍ୟ ବାରମ୍ବାର ବାଧାପ୍ରାପ୍ତ ହୋଇଥିଲା । ପ୍ରଶ୍ନୋତ୍ତର ସହ ଶୂନ୍ୟକାଳରେ ଉଭୟ ବିଜେପି ଓ କଂଗ୍ରେସ ବିଧାୟକ ଦଳ ନେତା ସରକାରଙ୍କ ବିରୋଧରେ ବିଭିନ୍ନ ପ୍ରସଙ୍ଗ ଉତ୍ଥାବପନ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିବାରୁ ଗୃହରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ବାଚସ୍ପତି
ବିକ୍ରମ କେଶରୀ ଆରୁଖ ପ୍ରଥମେ ପ୍ରଶ୍ନୋତ୍ତର ଏବଂ ପରେ ଶୂନ୍ୟକାଳରେ ଗୃହକୁ ମୁଲତବୀ ରଖିଥିଲେ । ପ୍ରଥମେ ବିଜେପି ଯୁବମୋର୍ଚ୍ଚା ସଦସ୍ୟଙ୍କ ଆନ୍ଦୋଳନ ସମୟରେ ପୁଲିସ୍‍ ଅତ୍ୟାଚାର ବିରୋଧରେ ବିଜେପି ସଦସ୍ୟମାନେ ଗୃହ କାର୍ଯ୍ୟ ଆରମ୍ଭରୁ ହଟ୍ଟଗୋଳ କରିବା ଯୋଗୁଁ ପ୍ରଶ୍ନକାଳ ଚାଲିପାରି ନ ଥିଲା । ଆଜି ଗୃହ କାର୍ଯ୍ୟ ଆରମ୍ଭମାତ୍ରେ ବିରୋଧୀଦଳ ନେତା ଜୟ ନାରାୟଣ ମିଶ୍ର ଏହି ପ୍ରସଙ୍ଗ ଉଠାଇଥିଲେ । ହେଲେ ବାଚସ୍ପତି ଶ୍ରୀ ଆରୁଖ ଉତ୍ତର ରଖିବାପାଇଁ ରାଜ୍ୟ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ କହିଥିଲେ । ଶ୍ରୀ ସ୍ୱାଇଁ ତାଙ୍କ ଉତ୍ତର ରଖୁଥିବାବେଳେ ବିଜେପି ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ଗଣମାଧ୍ୟମରେ ପ୍ରକାଶିତ ବିଭିନ୍ନ ଫଟୋ ଦେଖାଇବା ସହିତ ପୁଲିସ୍‍ ଅତ୍ୟାଚାର ବିରୋଧରେ ସ୍ଲୋଗାନମାନ ଦେଇଥିଲେ । ବାଚସ୍ପତିଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ ବିଜେପି ସଦସ୍ୟମାନେ ହଟଗୋଳ ଜାରି ରଖିଥିଲେ । ଅପରପକ୍ଷେ ମନ୍ତ୍ରୀ ମଧ୍ୟ ତାଙ୍କ ଉତ୍ତର ପଢି ଚାଲିଥିଲେ । ପରିସ୍ଥିତିକୁ ନିୟନ୍ତ୍ରଣକୁ ନେଇ ବାଚସ୍ପତି ଶ୍ରୀ ଆରୁଖ ଗୃହକୁ ବାରମ୍ବାର ମୁଲତବୀ ଘୋଷଣା କରିଥିଲେ ।

Get real time updates directly on you device, subscribe now.