fbpx

ୟୁରୋ କପର ଜନସମୁଦ୍ର ପାଇଁ ଇଂଲଣ୍ଡରେ ଆସିବ କରୋନାର ତୃତୀୟ ଲହର, ବିଶେଷଜ୍ଞଙ୍କ ଚେତାବନୀ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର କ୍ରମଶଃ ହ୍ରାସ ପାଇବା ପରେ ୟୁରୋପରେ ୟୁରୋ କପ୍-୨୦୨୦ ଅନୁଷ୍ଠିତ ହୋଇଥିଲା । ତେବେ ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି ଯେ, ୟୁରୋ କପ୍ କରୋନାର ତୃତୀୟ ଲହରକୁ ଡାକି ଆଣିବ । ଇଂଲଣ୍ଡ ସେମିଫାଇନାଲରେ ଡେନମାର୍କକୁ ହରାଇବା ପରେ ଆତ୍ମବିଭୋର ଦର୍ଶକମାନେ ଷ୍ଟାଡିୟମ ବାହାରେ ଏତେମାତ୍ରାରେ ଭିଡ଼ ଜମାଇଥିଲେ, ଲାଗୁଥିଲା ସତେ ଯେମିତି ସୋରିଷ ବୁଣିବାକୁ ଜାଗା ମିଳିବ ନାହିଁ । ତେବେ ରବିବାର ଦିନ ଇଂଲଣ୍ଡ ଓ ଇଟାଲି ମଧ୍ୟରେ ହେବାକୁ ଥିବା ଫାଇନାଲ ମ୍ୟାଚ ପୂର୍ବରୁ ଦର୍ଶକମାନେ ୱେମ୍ବଲେ ଷ୍ଟାଡିୟମ ବାହାରେ ହଜାର ହଜାର ସଂଖ୍ୟାରେ ଜମା ହୋଇ କରୋନା କଟକଣାକୁ ବାଟବଣା କରି ଦେଇଛନ୍ତି ।

ତେବେ ୟୁରୋ କପ୍ ଯୋଗୁଁ ହୋଇଥିବା ଅସଂଖ୍ୟ ଜନସମାଗମ ତୃତୀୟ ଲହରକୁ ଶୀଘ୍ର ଡାକି ଆଣିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି । ଲୋକମାନେ ବିଜୟର ଖୁସି ମନାଇବାକୁ ଯାଇ କରୋନାର ଭୟାବହତାକୁ ଭୁଲି ଯାଇଛନ୍ତି । ଇଂଲଣ୍ଡ ଓ ଇଟାଲି ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଫାଇନାଲ ମ୍ୟାଚର ଟିକେଟ ଏହି ପରିପ୍ରେକ୍ଷୀରେ ବୃଦ୍ଧି ପାଇଥିବା ଜଣାପଡ଼ିଛି । ଇଂଲଣ୍ଡ ଫାଇନାଲ ଖେଳିବ ବୋଲି ଦର୍ଶକମାନେ ବ୍ଲାକରେ ଟିକେଟ୍ କିଣି ରାସ୍ତାକୁ ଓହ୍ଲାଇ ଖୁସିର ଉତ୍ସବ ମନାଉଥିବାର ଦେଖିବାକୁ ମିଳିଥିଲା । ଏହି ସମୟରେ ଇଂଲଣ୍ଡର ଦୁଇଜଣ ଓ ସ୍କଟଲାଣ୍ଡର ଜଣେ ଖେଳାଳି କରୋନାରେ ସଂକ୍ରମିତ ହୋଇଥିବାରୁ ସେମାନଙ୍କୁ ସଙ୍ଗରୋଧରେ ରଖାଯାଇଥିବା ଜଣାପଡ଼ିଛି । କିଛି ଖେଳାଳି ସଂକ୍ରମଣ ହୋଇଥିବାରୁ ସାଧାରଣ ଜନତାଙ୍କ ଅବସ୍ଥା କ’ଣ ହେବ, ସେନେଇ ପୂର୍ବାନୁମାନ କରିଛନ୍ତି ବିଶେଷଜ୍ଞମାନେ । ତେବେ ଇଂଲଣ୍ଡରେ ୫୦ ପ୍ରତିଶତ ଲୋକ କୋଭିଡର ଦୁଇଟି ଯାକ ଡୋଜ୍ ନେଇସାରିଥିବା ବେଳେ ଟିକାକରଣ ଦ୍ରୁତଗତିରେ ଆଗେଇ ଚାଲିଥିବାରୁ ତାହା ଏକ ସକାରାତ୍ମକ ସୂଚନା ଦେଉଥିବା କୁହାଯାଉଛି ।

Get real time updates directly on you device, subscribe now.