ପୁରୁଷ ପ୍ରଜନନ କ୍ଷମତାକୁ ପ୍ରଭାବିତ କରୁଛି କୋଭିଡ୍-୧୯: ଆଇଆଇଟି ବମ୍ବେର ରିସର୍ଚ୍ଚରୁ ହେଲା ବଡ ଖୁଲାସା

ନୂଆଦିଲ୍ଲୀ: ପୁରୁଷ ପ୍ରଜନନ କ୍ଷମତାକୁ ପ୍ରଭାବିତ କରୁଛି କୋଭିଡ-୧୯ । ଏପରିକି ଆଂଶିକ କୋଭିଡ୍ କାରଣରୁ ମଧ୍ୟ ପୁରୁଷ ପ୍ରଜନନ କ୍ଷମତା ପ୍ରଭାବିତ ହୋଇଥାଏ । ଆଇଆଇଟି ବମ୍ବେ ପକ୍ଷରୁ କରାଯାଇଥିବା ରିସର୍ଚ୍ଚରେ ଏହି ତଥ୍ୟ ସାମ୍ନାକୁ ଆସିଛି । ପ୍ରଜନନ ପାଇଁ ଉଦ୍ଦିଷ୍ଟ ପ୍ରୋଟିନ କୋଭିଡ୍ କାରଣରୁ ହ୍ରାସ ପାଇଥାଏ ଯାହା ଫଳରେ ଏହା ପ୍ରଭାବିତ ହୋଇଥାଏ ବୋଲି ଆଇଆଇଟି ବମ୍ବେର ପରୀକ୍ଷଣରୁ ସ୍ପଷ୍ଟ ହୋଇଛି ।

ବିଗତ ସପ୍ତାହରେ ଆଇଆଇଟି ବମ୍ବେ ପକ୍ଷରୁ ଏକ ଜର୍ଣ୍ଣାଲ ଆସିଥିଲା ଯେଉଁଥିରେ ପୁରୁଷ ପ୍ରଜନନ କ୍ଷମତା ଉପରେ ଆଲୋଚନା ହୋଇଥିଲା । ଏସିଏସ୍ ଓମେଗାରେ ପ୍ରକାଶିତ ଜର୍ଣ୍ଣାଲରେ ପ୍ରକାଶିତ ସୂଚନା ଅନୁଯାୟୀ କୋଭିଡରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସିମେନର ପ୍ରୋଟିନ ସ୍ତର ପରୀକ୍ଷଣ କରାଯିବା ପରେ ଏହି ନିର୍ଯ୍ୟାସ ବାହାରିଛି ।

ଯଦିଓ ସାର୍ସ କୋଭ-୨ ଯାହାକି କୋଭିଡ ପାଇଁ ଦାୟୀ ଆମର ଶ୍ୱାସକ୍ରିୟାକୁ ପ୍ରଭାବିତ କରିଥାଏ ତେବେ ଏହା ଶରୀରର ଅନ୍ୟାନ୍ୟ ଅଙ୍ଗକୁ ମଧ୍ୟ ପ୍ରଭାବିତ କରିଥାଏ । ରିସର୍ଚ୍ଚ ଅନୁସାରେ ଏହା ଶରୀରର ଅନ୍ୟାନ୍ୟ ଟିସୁ ଗୁଡିକୁ ପ୍ରଭାବିତ କରିଥାଏ । ନିକଟରେ କରାଯାଇଥିବା ପରୀକ୍ଷଣରେ କୋଭିଡ-୧୯ ଭାଇରସ୍ ପୁରୁଷ ପ୍ରଜନନ ଅଙ୍ଗରେ ରହିଥିବା ଜଣା ପଡିଥିଲା । ମୁମ୍ବାଇର ଜସଲୋକ ହସ୍ପିଟାଲ ଏବଂ ଆଇଆଇଟି-ବି ପକ୍ଷରୁ ମିଳିତ ଭାବରେ ଏହି ରିସର୍ଚ୍ଚ କରାଯାଇଥିଲା ।

ଏହି ଭାଇରସ୍ ଦୀର୍ଘସ୍ଥାୟୀ ଭାବରେ ଆମର ପ୍ରଜନନ କ୍ଷମତା ଉପରେ ପ୍ରଭାବ ପକାଇଥାଏ ବୋଲି ଆଶଙ୍କା କରାଯାଉଛି । ଆଂଶିକ ବା ମୃଦୁ କୋଭିଡ୍ ଥିଲେ ଏହା ପ୍ରୋଟିନର ସ୍ତରକୁ ଗଭୀର ଭାବରେ ପ୍ରଭାବିତ କରୁଛି । ସମୁଦାୟ ୨୭ ଜଣଙ୍କୁ ପରୀକ୍ଷଣ କରି ଏହି ରିପୋର୍ଟ ପ୍ରକାଶ ପାଇଥିଲା । ୨୭ ଜଣଙ୍କ ମଧ୍ୟରୁ ୧୦ ଜଣ ସୁସ୍ଥ ଥିବା ବେଳେ ଅନ୍ୟ ମାନଙ୍କ ଠାରେ ଆଂଶିକ ଅଥବା ମୃଦୁ କୋଭିଡ୍ ଲକ୍ଷଣ ରହିଥିଲା । ଏହି ସମସ୍ତଙ୍କ ବୟସ ୨୦-୪୫ ରହିଥିବା ବେଳେ କାହାର ବି ପ୍ରଜନନ କ୍ଷମତା ଜନିତ ରୋଗ ନଥିଲା ।

କୋଭିଡରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ଠାରେ ସ୍ପର୍ମ କାଉଣ୍ଟ କମ ରହୁଥିବା ବେଳେ ଏହାର ଆୟୁଷ କମ ରହିଥାଏ ତଥା ଏହାର ଆକାର ମଧ୍ୟ ସାଧାରଣ ନଥାଏ । ପରବର୍ତ୍ତୀ ପରୀକ୍ଷଣରୁ ଜଣାପଡିଥିଲା କି ଶୁକ୍ରାଣୁରେ ରହୁଥିବା ପ୍ରୋଟିନ ଗୁଡିକ ମଧ୍ୟରୁ ୨୭ଟିର ପରିମାଣ ବଢୁଥିବା ବେଳେ ୨୧ଟିର ପରିମାଣ କିଛି । କମିଥିବା ପ୍ରୋଟିନ ମଧ୍ୟରୁ କିଛି ପ୍ରଜନନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । ସେମେନୋଜେଲିନ୍-୧ ଏବଂ ପ୍ରୋସାପୋସିନର ପରିମାଣ ଅଧାରୁ ଅଧିକ ପରିମାଣରେ ହ୍ରାସ ପାଇଥାଏ । ତେବେ ଏହି ପରୀକ୍ଷଣକୁ ଅଧିକ ବ୍ୟାପକ କରିବା ଦ୍ୱାରା ସମ୍ପୂର୍ଣ୍ଣ ସୂଚନା ମିଳି ପାରିବ ବୋଲି ବୈଜ୍ଞାନିକ ମାନେ କହିଛନ୍ତି ।