fbpx

ଖାଉଟିଙ୍କ ଉପରେ ପୁଣି ମହଙ୍ଗା ମାଡ଼: WholeSale ବଜାରରେ ବି ବଢିଲା ପରିବା ମୂଲ୍ୟ

ନୂଆଦିଲ୍ଲୀ: ଦେଶରେ ଲଗାତାର ମହଙ୍ଗା ମାଡ଼ର ଶିକାର ହେଉଛନ୍ତି ଖାଉଟି । ଦେଶର ବିଭିନ୍ନ ରାଜ୍ୟରେ ପରିବା ଦର ଆକାଶଛୁଆଁ ଥିବା ବେଳେ ଏବେ ପୁଣି ଏକ ଝଟକା ଦେଇଛି ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରାଳୟର ରିପୋର୍ଟ । ଜୁନ୍ ମାସରେ ମଧ୍ୟ ହୋଲସେଲ ଦର ବୃଦ୍ଧି ହୋଇ ୩.୩୬ ପ୍ରତିଶତରେ ପହଞ୍ଚିଛି । ଗତ ୪ ମାସରେ ଲଗାତାର WholeSale Price Indexରେ ବୃଦ୍ଧି ରେକର୍ଡ କରାଯାଇଛି । ଏହାପୂର୍ବରୁ ମେ’ ମାସରେ WPI Inflation Rate ୨.୬୧ ପ୍ରତିଶତ ରହିଥିଲା । ତେବେ ଗତ ଜୁନ୍ ୨୦୨୩ ମାସରେ ଏହି ହାର ୪.୧୮ ପ୍ରତିଶତ ରହିଥିଲା ।

୨୦୨୪ ଏପ୍ରିଲରେ ହୋଲସେଲ ମହଙ୍ଗା ଦର ୧.୨୬ ପ୍ରତିଶତ ରହିଥିବା ବେଳେ ମାର୍ଚ୍ଚ ମାସରେ ୦.୫୩ ପ୍ରତିଶତ ରେକର୍ଡ ହୋଇଥିଲା । ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରାଳୟ ତରଫରୁ କୁହାଯାଇଛି ଯେ, ହୋଲସେଲ ଦରବୃଦ୍ଧି ଯୋଗୁଁ ଚଳିତ ମାସ ଖାଦ୍ୟ ପଦାର୍ଥର ଉତ୍ପାଦନ, ଅଶୋଧିତ ତୈଳ, ପେଟ୍ରୋଲ, ପ୍ରାକୃତିକ ଗ୍ୟାସ ଏବଂ ଅନ୍ୟାନ୍ୟ ଜିନିଷର ମୂଲ୍ୟବୃଦ୍ଧି ହୋଇଛି । ସରକାରଙ୍କ ରେକର୍ଡ ଅନୁସାରେ, ଜୁନ୍ ମାସରେ ଫୁଡ ଆଇଟମରେ ଦରବୃଦ୍ଧି ୧.୮୭ ପ୍ରତିଶତ ବୃଦ୍ଧି ପାଇଛି । ତେବେ ଏହାପୂର୍ବରୁ ମେ’ ମାସରେ ୯.୮୨ ପ୍ରତିଶତ ବୃଦ୍ଧି ପାଇଥିଲା । ଜୁନ୍ ମାସରେ ପରିବା ମୂଲ୍ୟ ୩୮.୭୬ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ମେ’ ମାସରେ ଏହା ୩୨.୪୨ ପ୍ରତିଶତ ରହିଥିଲା । ଏଥିରେ ପିଆଜ ମୂଲ୍ୟ ୨୧.୬୪ ପ୍ରତିଶତ ହୋଇଛି । ଏହାବ୍ୟତୀତ ନ୍ୟାଚୁରାଲ ଗ୍ୟାସ, ଉତ୍ପାଦିତ ପଦାର୍ଥ ଇତ୍ୟାଦି ମଧ୍ୟ ସାମିଲ ରହିଛି ।

ସେହିପରି ମନ୍ତ୍ରାଳୟ ତରଫରୁ ମିଳିଥିବା ରିପୋର୍ଟ ଅନୁସାରେ, ଜୁନ୍ ମାସରେ ତୈଳ ଏବଂ ଶକ୍ତି କ୍ଷେତ୍ରରେ ମଧ୍ୟ ୧.୦୩ ପ୍ରତିଶତ ମୂଲ୍ୟବୃଦ୍ଧି ରେକର୍ଡ କରାଯାଇଛି । ତେବେ ଉତ୍ପାଦିତ ପଦାର୍ଥର ମୂଲ୍ୟ ମେ’ ମାସରେ ୦.୭୮ ପ୍ରତିଶତ ଥିବା ବେଳେ ଜୁନରେ ୧.୪୩ ପ୍ରତିଶତ ରେକର୍ଡ ହୋଇଛି । ଦେଶବାସୀଙ୍କୁ ଲଗାତାର ଦ୍ୱିତୀୟ ଥର ପାଇଁ ଦରବୃଦ୍ଧିର ସାମନା କରିବାକୁ ପଡ଼ିଛି । ଏହାପୂର୍ବରୁ ରିଟେଲ ଇନଫ୍ଲେସନ୍ ହାରରେ ମଧ୍ୟ ବୃଦ୍ଧି ରେକର୍ଡ ଜାରି ହୋଇଥିଲା ।

Get real time updates directly on you device, subscribe now.