fbpx

Girls’ Hostel ପରିସରରୁ ଉଦ୍ଧାର ହେଲା ମୁହଁ: ତା’ ସହ ମିଳିଲା ଗୋଡ଼ ବନ୍ଧା ବୁଲା କୁକୁର

ବ୍ରହ୍ମପୁର: ୧୨ କୁକୁରଙ୍କ ମୁହଁ ଏବଂ ଗୋଡ଼ ବାନ୍ଧି ହୋଇଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରୁ ଉଦ୍ଧାର ହୋଇଛି ମୁହଁ, ଗୋଡ଼ ବନ୍ଧା ବୁଲା କୁକୁର । ଯାହା ପରେ ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଗତ କିଛି ଦିନରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ ବୁଲା କୁକୁରର ଦୌରାତ୍ମ୍ୟ ଦେଖିବାକୁ ମିଳିଥିଲା । ଏହାପରେ ଏଭଳି ଘଟଣା ଲୋକଙ୍କ ପାଇଁ ଆଲୋଚନାର ବିଷୟ ପାଲଟି ଯାଇଛି । ବିଶ୍ୱବିଦ୍ୟାଳୟ କର୍ମଚାରୀଙ୍କ ଏଭଳି କାଣ୍ଡକୁ ଏବେ ସବୁ ମହଲରେ ନିନ୍ଦା କରାଯାଉଛି ।

ସୂଚନା ମୁତାବକ, ଗତକାଲି ବାଳିକା ହଷ୍ଟେଲ ପରିସରରେ ୧୨ଟି ବୁଲା କୁକୁରକୁ କେତେକ କର୍ମଚାରୀ ବାନ୍ଧି ଦେଇଥିଲେ । କୁକୁରମାନଙ୍କର ଗୋଡ ଏବଂ ମୁହଁକୁ ଦଉଡିରେ ବାନ୍ଧି ଦେଇ ଏକ କୋଠରୀରେ ବନ୍ଦ କରିଦେଇଥିଲେ । ଏ ଘଟଣା ନେଇ ହଷ୍ଟେଲରେ ରହୁଥିବା କିଛି ଛାତ୍ରୀ ବ୍ରହ୍ମପୁର ଜୀବ ସୁରକ୍ଷା ସଂଘର ସଭାନେତ୍ରୀ ରୋନାଲି ପାଣିଗ୍ରାହୀଙ୍କୁ ଫୋନ ଯୋଗେ ସୂଚନା ଦେଇଥିଲେ । ଅପରାହ୍ନ ପ୍ରାୟ ୪ଟା ବେଳେ ରୋନାଲିଙ୍କ ସମେତ ବଳରାମ ମହାନ୍ତି, ବିଷ୍ଣୁପ୍ରିୟା ପାତ୍ର ପ୍ରମୁଖ ଭଞ୍ଜବିହାର ଫାଣ୍ଡିରେ ପହଞ୍ଚି ପୋଲିସକୁ ସୂଚନା ଦେଇଥିଲେ ।

ସାଥୀରେ ପୋଲିସକୁ ନେଇ ଛାତ୍ରୀ ନିବାସକୁ ଯାଇଥିଲେ ରୋନାଲି । ସେଠାରେ ବନ୍ଧା ହୋଇଥିବା କୁକୁରକୁ ଉଦ୍ଧାର କରାଯିବା ବେଳେ ଏହାକୁ ବିରୋଧ କରିଥିଲେ ହଷ୍ଟେଲର ୱାର୍ଡେନ ଏବଂ କିଛି ଛାତ୍ରଛାତ୍ରୀ । ଫଳରେ ଘଟଣାସ୍ଥଳରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ତଥାପି କୁକୁରକୁ ବନ୍ଧନ ମୁକ୍ତ କରି ଛାଡ଼ି ଦିଆଯାଇଛି । ତେବେ ଛାତ୍ରୀମାନେ କୁକୁର କାମୁଡିବା ଭୟ ନେଇ ଅଭିଯୋଗ କରିବାରୁ ଏପରି ପଦକ୍ଷେପ ନିଆଯାଇଥିବା ସୂଚନା ଦେଇଛନ୍ତି ହଷ୍ଟେଲ ୱାର୍ଡେନ ।

Get real time updates directly on you device, subscribe now.