ଅବିବାହିତ ପୁରୁଷ ଏବେଠୁ ସାବଧାନ… ମାଟ୍ରିମୋନୀ ସାଇଟରେ ବୁଲୁଛନ୍ତି ନକଲି ଝିଅ: Fake ଆକାଉଣ୍ଟରେ ଲୁଟୁଛନ୍ତି ସାଇବର କ୍ରିମିନାଲ
ଭୁବନେଶ୍ୱର: ଅବିବାହିତ ପୁରୁଷମାନେ ଏବେଠୁ ସାବଧାନ ହୋଇଯାଆନ୍ତୁ । ନଚେତ୍ ବିବାହ ବନ୍ଧନରେ ବାନ୍ଧି ହେବା ଆଶା ଆପଣଙ୍କୁ ମାୟାଜାଲରେ ଛନ୍ଦି ଦେଇପାରେ । ସୁନ୍ଦରୀ ପତ୍ନୀ ପାଇବା ଇଚ୍ଛା ଆପଣଙ୍କ ଆକାଉଣ୍ଟରେ କଳାକନା ବୁଲାଇ ଦେଇପାରେ । କାରଣ ବର୍ତ୍ତମାନ ମାଟ୍ରିମୋନୀ ସାଇଟଗୁଡ଼ିକ ଉପରେ ପଡ଼ିଛି ସାଇବର ଠକଙ୍କ ନଜର । ଝିଅମାନଙ୍କ ନାଁରେ ମିଛ ଆକାଉଣ୍ଟ ତିଆରି କରି ଯୁବକମାନଙ୍କୁ ଠକୁଥିବା ନେଇ ଅନେକ ଅଭିଯୋଗ ରେକର୍ଡ କରାଯାଇଛି । ଫେକ୍ ଆକାଉଣ୍ଟରୁ ଯୁବକମାନଙ୍କ ସହ ସମ୍ପର୍କ ସ୍ଥାପନ କରି ଲକ୍ଷ ଲକ୍ଷ ଟଙ୍କା ଚଳୁ କରି ନେଉଛନ୍ତି ସାଇବର ଲୁଟେରା ।
ସୂଚନା ଅନୁସାରେ, ସୁନ୍ଦରୀ ଝିଅମାନଙ୍କ ନାମ, ଫଟୋ ଏବଂ ପ୍ରୋଫାଇଲ ବ୍ୟବହାର କରି ଏହି ଆକାଉଣ୍ଟ ବ୍ୟବହାର କରୁଛନ୍ତି ସାଇବର ଲୁଟେରା । ଏଭଳି ଜଣେ ସାଇବର ଲୁଟେରାକୁ ଗିରଫ କରିଛି ସାଇବର ଥାନା ପୋଲିସ । ମାଟ୍ରିମୋନୀ ସାଇଟରେ ବିବାହ ପାଇଁ ପ୍ରସ୍ତୁତି କରୁଥିଲେ ମାନସ ରଞ୍ଜନ ପଣ୍ଡା । ବିଭିନ୍ନ ବାହାନାରେ ତାଙ୍କଠୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ସେ ଅଭିଯୋଗ କରିଛନ୍ତି । ମାନସଙ୍କ ଅଭିଯୋଗ ଅନୁସାରେ, ମାଟ୍ରିମୋନୀ ସାଇଟରେ ପ୍ରୋଫାଇଲ ଏବଂ ଫଟୋ ରଖି ଟଙ୍କା ମାଗୁଛନ୍ତି ସାଇବର ଠକ । ୩ ଥରକରେ ଅନଲାଇନ ଜରିଆରେ ମାନସଙ୍କଠାରୁ ଲୁଟି ନେଇଛି ଦୀପା ପ୍ରଧାନ ନାମ୍ନି ଏହି ଯୁବକ । ୩ ଥରରେ ମାନସଙ୍କ ପାଖରୁ ୩ ଲକ୍ଷରୁ ଅଧିକ ଟଙ୍କା ଲୂଟ କରିଥିବା ନେଇ ସେ ଅଭିଯୋଗ କରିଛନ୍ତି ।
ଯୁବତୀଙ୍କ ପ୍ରୋଫାଇଲ ଏବଂ ଫଟୋକୁ ବ୍ୟବହାର କରି ଏହି କାରନାମା କରୁଥିଲା ସାଇବର ଠକ । ନବମ ଶ୍ରେଣୀ ପାଠ ପଢିଥିବା ଲୁଟେରା, ଦୀପା ପ୍ରଧାନ ନାମରେ ଏକ ଫେକ୍ ଆକାଉଣ୍ଟ ମାଟ୍ରିମୋନୀ ସାଇଟରେ ତିଆରି କରିଥିଲେ । ଏହା ସାହାଯ୍ୟରେ ସେ ଅତି ସହଜରେ ଲୋକମାନଙ୍କୁ ଠକି ପାରିଛନ୍ତି । ମାନସଙ୍କ ପାଖରୁ କେବଳ ନୁହେଁ, ଆହୁରି ଅନେକ ସ୍ଥାନରେ ଦୀପା ନାମକ ବହୁରୂପୀ ଲକ୍ଷ ଲକ୍ଷ ଟଙ୍କା ଲୁଟ କରିଛି । ତେବେ ଏହି ମାମଲାକୁ ନେଇ ମାନସ ନଭେମ୍ବର ୧୫ ତାରିଖରେ ଏ ନେଇ ଅଭିଯୋଗ କରିଛନ୍ତି । ଏହାପରେ ପୋଲିସ ପୁରୀ ସଦର ଥାନା ଅନ୍ତର୍ଗତ ଭାତକୁଡ଼ି ଗାଁର ନୃସିଂହ ବିଶ୍ୱାଳକୁ ଗିରଫ କରିଛି ।