fbpx

ଯାତ୍ରା ଜଗତରୁ ଆସିଲା ଦୁଃଖ ଖବର: ପ୍ରଖ୍ୟାତ ନାଟ୍ୟକାର ଇଂ କିଶୋର ମହାପାତ୍ର ଆଉ ନାହାନ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ଯାତ୍ରା ଜଗତରୁ ଆସିଛି ଏକ ଦୁଃଖ ଖବର । ଯାତ୍ରା ଜଗତର ଜଣାଶୁଣା ନାଟ୍ୟକାର ଇଂ କିଶୋର ମହାପାତ୍ରଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା । ଗତ କିଛିଦିନ ଧରି ଅସୁସ୍ଥତା କାରଣରୁ ଶ୍ରୀ ମହାପାତ୍ର କଟକର ଏକ ନର୍ସିଂ ହୋମରେ ଚିକିତ୍ସିତ ହେଉଥିଲେ । ମାତ୍ର ଗତକାଲି ରାତିରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ପରେ ତାଙ୍କର ମୃତଦେହକୁ ଜନ୍ମମାଟି ଜଗତସିଂହପୁର ଜିଲ୍ଲାର ରଘୁନାଥପୁରକୁ ନିଆଯାଇ ସେଠାରେ ଅନ୍ତିମ ସଂସ୍କାର କରାଯାଇଛି ।

ରାଜ୍ୟର ଯାତ୍ରା ଜଗତର ଜଣେ ପ୍ରଖ୍ୟାତ ନାଟ୍ୟକାର ଭାବେ ଶ୍ରୀ ମହାପାତ୍ର ବେଶ୍ ପରିଚିତ ଥିଲେ । ତାଙ୍କର ବିୟୋଗରେ ଯାତ୍ରା ଜଗତ ସହ ଜଡ଼ିତ ବହୁ କଳାକାର, ତାଙ୍କର ବନ୍ଧୁ ଓ ପରିଜନ ଶୋକ ବ୍ୟକ୍ତ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି । କିଶୋରଙ୍କର ଏକାଧିକ ନାକଟରେ ଅଭିଜ୍ଞତାସମ୍ପନ୍ନ ନିର୍ଦ୍ଦେଶକ ସୀତାକାନ୍ତ ମହାନ୍ତି ନିର୍ଦ୍ଦେଶନା ଦେଇଥିଲେ । ‘ଆକାଶ କଇଁଆ ଚିଲିକା ମାଛ’ କିଶୋରଙ୍କର ଶେଷ ନାଟକ ଥିଲା ।

ରାଜଧାନୀ ଭୁବନେଶ୍ୱର ସ୍ଥିତ ମହିଳା ପଲିଟେକନିକରେ ଶ୍ରୀ ମହପାତ୍ର ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଥିଲେ । ପରବର୍ତ୍ତୀ ସମୟରେ ସେ ଯାତ୍ରା ନାଟକ ରଚନା କ୍ଷେତ୍ରରେ ମନୋନିବେଶ କରିଥିଲେ । ତାଙ୍କ ଦ୍ୱାରା ରଚିତ ଏକାଧିକ ନାଟକ ବେଶ ସଫଳତା ହାସଲ କରିଥିଲା । ସେଥିମଧ୍ୟରେ ‘ଦେଢ଼ ଦିନର ସ୍ୱାମୀ’, ‘ପୁରୀରୁ ପଟ୍ଟାମୁଣ୍ଡାଇ’, ‘ସୁର ସାରଙ୍କ ସାନଝିଅ’, ‘ଯାହା କହିବି ସତ କହିବି’, ଲାଲ ଶାଢ଼ି ନୀଳ ବ୍ଲାଉଜ’ ଆଦି ରହିଛି । କିଶୋରଙ୍କ ମୃତ୍ୟୁରେ ଯାତ୍ରା ଜଗତରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ।

Get real time updates directly on you device, subscribe now.