fbpx

ବିଶିଷ୍ଟ ନାଟ୍ୟକାର ପୂର୍ଣ୍ଣଚନ୍ଦ୍ର ଦାସଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଶିଷ୍ଟ ନାଟ୍ୟକାର ତଥା ନାଟ୍ୟ ନିର୍ଦ୍ଦେଶକ ପୂର୍ଣ୍ଣଚନ୍ଦ୍ର ଦାସଙ୍କ ବିୟୋଗ ଘଟିଛି । ୮୦ ଦଶକରେ ଶ୍ରୀ ଦାସ ଜଣେ ଲୋକପ୍ରିୟ ନାଟ୍ୟକାର ଭାବେ ବେଶ୍ ପ୍ରସିଦ୍ଧି ଅର୍ଜନ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା । ରାଜଧାନୀ ଭୁବନେଶ୍ୱରର ଝାରପଡ଼ା ସ୍ଥିତ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି । ସେ ଗତ କିଛିଦିନ ହେବ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ । ପୂର୍ଣ୍ଣଚନ୍ଦ୍ରଙ୍କ ମୃତ୍ୟୁ ଖବର ପାଇଁ କଳାକ୍ଷେତ୍ର ସହ ଜଡ଼ିତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଶୋକବ୍ୟକ୍ତ କରିଛନ୍ତି ।

ଶ୍ରୀ ଦାସ ୧୯୩୫ ମସିହା ଜୁଲାଇ ମାସ ୧ ତାରିଖରେ ପୁରୀ ଜିଲ୍ଲାର ସତ୍ୟବାଦୀରେ ଜନ୍ମଗ୍ରହଣ କରିଥିଲେ । ସେ ଏକାଧାରରେ ଜଣେ ମଞ୍ଚ ଅଭିନେତା, ନାଟ୍ୟ ନିର୍ଦ୍ଦେଶକ, ସୁବକ୍ତା ଓ ନାଟ୍ୟକାର ଭାବେ ଲୋକପ୍ରିୟତା ହାସଲ କରିଥିଲେ । ତାଙ୍କ ଦ୍ୱାରା ରଚିତ ଓ ନିର୍ଦ୍ଦେଶିତ ଶତାଧିକ ବେତାର ନାଟକ ଆକାଶବାଣୀ ସମ୍ବଲପୁର ଓ କଟକରୁ ପ୍ରସାରିତ ହେଉଛି । ସେହିପରି ତାଙ୍କ ରଚିତ ଏକାଧିକ ନାଟକ ରାଜ୍ୟର ବିଭିନ୍ନ ସ୍ଥାନରେ ପରିବେଷିତ ମଧ୍ୟ ହୋଇଥିଲା । ନିଷିଦ୍ଧ ନଗରୀ, ମହାନଗରୀରେ ବନ୍ୟା, ଆହତ ଅରଣ୍ୟ, ଶେଷ ପାହାଚ, ସୂର୍ଯ୍ୟାସସ୍ତରୁ ସୂର୍ଯ୍ୟୋଦୟ ଆଦି ତାଙ୍କର ହେଉଛି ଗୋଟିଏ ଗୋଟିଏ ନାଟକ ପୁସ୍ତକ । ମଞ୍ଚ ଓ ନାଟକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଅନେକ ଅନୁଷ୍ଠାନ ତରଫରୁ ପୁରସ୍କୃତ କରାଯାଇଥିଲା ।

Get real time updates directly on you device, subscribe now.