fbpx

ବିକାଶଠୁ ଅନେକ ଦୂରରେ ମହ୍ଲାରପୁର: ଦୀପାବଳି କ’ଣ ଜାଣନ୍ତିନି, ଡିବିରି ଆଲୁଅରେ ଦୂର ହୁଏ ଅନ୍ଧାର

Advertisement

ଅନୁଗୁଳ: ଆଲୋକର ପର୍ବ ଦୀପାବଳିକୁ ନେଇ ଆଜି ଚାରିଆଡ଼େ ବେଶ ଉତ୍ସାହ । ଛୋଟ ବଡ଼ ଧନୀ ଗରୀବ, ସଭିଙ୍କ ମନରେ ଉତ୍ସାହ । କିଏ ବାଣ କିଣେ, କିଏ ଦୀପ କିଣେ ତ କିଏ ରଙ୍ଗୀନ ଆଲୁଅରେ ଘର ଆଲୋକିତ କରେ । କିନ୍ତୁ ଦୀପ ତଳ ଅନ୍ଧାର ଭଳି ଖଣି ଖାଦାନ କାରଖାନା ଭରା ଅନୁଗୁଳ ଜିଲ୍ଲାରେ ରହିଛି ଏମିତି ଏକ ଗାଁ ଯେଉଁଠାରେ ଲୋକେ ଦୀପାବଳୀ କ’ଣ ଜାଣନ୍ତି ନାହିଁ । ଅନୁଗୁଳ ବ୍ଲକ ବନ୍ତଳା ଅଞ୍ଚଳର ନନ୍ଦପୁର ପଞ୍ଚାୟତର ମହ୍ଳାରପୁର ଗାଁ । ଏଠାକାର ବାସିନ୍ଦାମାନେ ଦୀପାବଳି କ’ଣ ଜାଣନ୍ତି ନାହିଁ । ଡିବିରି ଆଲୁଅରେ ଆଲୋକିତ ହୁଏ ସେମାନଙ୍କର ଘର ।

ଅନୁଗୁଳ ସହରଠୁ ଦୂରରେ ବଣପାହାଡ଼ ଘେରା ଏହି ଗାଁ । ପ୍ରାୟ ୨୦ ପରିବାର ଏହି ଗାଁରେ ବାସ କରନ୍ତି । ତେବେ ଏଯାଏ ଏହି ଗାଁରେ ବିଜୁଳି ଆଲୁଅ ନଥିବା ବେଳେ ବିକାଶ ଏହି ଗାଁରେ ପହଞ୍ଚିପାରିନି । ମୂଲମଜୁରୀ ଲାଗି ଓ ଜଙ୍ଗଲରୁ ମହୁଲ ସଂଗ୍ରହ କରି ଏଠାକାର ଲୋକେ ନିଜର ପେଟ ପୋଷିଥାଆନ୍ତି । ତେବେ ଏମାନଙ୍କ ପାଖରେ ଏଯାଏ କୌଣସି ସରକାରୀ ସୁବିଧା ପହଞ୍ଚିପାରି ନାହିଁ । ନା ଅଛି ରାସ୍ତା ନା ଅଛି ପିଇବା ପାଣି ବ୍ୟବସ୍ଥା ।

ରାତି ହେଲେ ଏଠାକାର ଲୋକେ ଆଲୋକ ପାଇଁ ଡିବିରି ଆଲୁଅ ଉପରେ ନିର୍ଭର କରିଥାନ୍ତି । ମୂଲଲାଗି ଯେତିକି ରୋଜଗାର କରନ୍ତି ସେଥିରେ ଓଳିଏ ଖାଇଲେ ଆରଓଳି ଓପାସ । ପିଲାମାନେ ମଧ୍ୟ ପୁଷ୍ଟିକର ଖାଦ୍ୟ ପାଉନାହାନ୍ତି । ତେବେ ଏପରି ସ୍ଥିତିରେ ଦୀପ ବାଣ କିଣୁଛି କିଏ ବୋଲି ସେଠାକାର ବାସିନ୍ଦା କହିଛନ୍ତି ।

ଦୀପାବଳିକୁ ନେଇ ସମସ୍ତଙ୍କ ମନରେ କେତେ ଆଶା ଆଉ ଉତ୍ସାହ । ହେଲେ ଏହି ଏକବିଂଶ ଶତାବ୍ଦୀରେ ସମାଜରେ ଏନରି ଏକ ଗାଁ ଅଛି ଯେଉଁଠି ଦୀପାବଳି ପାଳିବା ଆଜି ମଧ୍ୟ ସ୍ୱପ୍ନ ।

Get real time updates directly on you device, subscribe now.