ବାପାର ଅମାନୁଷିକ କାମ, ପରୀକ୍ଷାରେ କମ୍ ମାର୍କ ରଖିବାରୁ ନାବାଳିକା ଝିଅକୁ ପିଟିପିଟି ମାରିଦେଲା

କାଠ ଫାଳିଆରେ ଝିଅକୁ ଅତି ନୃଶଂସ ଭାବରେ ପିଟିପିଟି ମାରିଦେଲା ଜନ୍ମକଲା ବାପା।

ମହାରାଷ୍ଟ୍ର: ବାପାର ଜଘନ୍ୟ କାଣ୍ଡ। ବଢ଼ିଲା ଝିଅକୁ ପିଟିପିଟି ମାରିଦେଲା। ତାହା ପୁଣି ପରୀକ୍ଷାରେ କମ୍ ମାର୍କ ରଖିବାରୁ। ପେସାରେ ବାପା ଜଣକ ଜଣେ ଶିକ୍ଷକ।

ଯିଏ ପ୍ରତ୍ୟେକ ଦିନ ପିଲାଙ୍କୁ ଭଲ ବୁଦ୍ଧି ଏବଂ ଅପରାଧ ଠାରୁ ଦୂରେଇ ରହିବାକୁ ଶିକ୍ଷା ଦିଅନ୍ତି। ସେହି ବାପା ଆଜି ନିଜେ ଅପରାଧ କରିଛନ୍ତି। ତାହା ପୁଣି ନିଜର ୧୬ ବର୍ଷୀୟ ନାବାଳିକା ଝିଅର ହତ୍ୟା କରି।

ଝିଅ ରଖିଲା କମ୍ ମାର୍କ: ତେବେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାରେ।  ଅଭିଯୁକ୍ତ ବାପା ଧୋଣ୍ଡିରାମ ଭୋସଲେ। ବୟସ ପାଖାପାଖି ୪୫ ବର୍ଷ ହେବ।

ତାଙ୍କ ଝିଅ ଦ୍ୱାଦଶ ଶ୍ରେଣୀରେ ପାଠ ପଢୁଥିଲେ। ନିକଟରେ ତାଙ୍କର ପରୀକ୍ଷା ଫଳ ବାହାରିଥିଲା। ଯେଉଁଥିରେ ସେ କମ୍ ମାର୍କ ରଖିଥିଲେ। ତେଣୁ ତାଙ୍କ ବାପା ତାଙ୍କ ଉପରେ ରାଗିଯାଇ ଗାଲି ଗୁଲଜ କରିବା ଆରମ୍ଭ କରିଥିଲେ।

ଝିଅକୁ ହତ୍ୟା କଲା ବାପା: ଜଣେ ଅଧିକାରୀ କହିଛନ୍ତି ଯେ ଶନିବାର ରାତିରେ ଆଟପାଡି ତହସିଲର ନେଲକରଞ୍ଜି ଗାଁରେ ଏହି ଘଟଣା ଘଟିଛି। ଅଭିଯୁକ୍ତ ଅଟା ପେଷିବା ପାଇଁ ବ୍ୟବହୃତ ପଥର ମିଲର କାଠ ହ୍ୟାଣ୍ଡେଲ ଉଠାଇ ତାଙ୍କ ସ୍ତ୍ରୀ ଏବଂ ପୁଅଙ୍କ ଉପସ୍ଥିତିରେ ତାଙ୍କ ଝିଅକୁ ପିଟିବା ଆରମ୍ଭ କରିଥିଲେ।

ପରେ ଝିଅ ସାଧନା ଦେହରେ ଗଭୀର ଆଘାତ ଲାଗିଥିଲା। ଯେଉଁଥିପାଇଁ ସାଧନାଙ୍କୁ ସାଙ୍ଗଲି ଡାକ୍ତରଖାନା ନିଆଯାଇଥିଲା। ଯେଉଁଠାରେ ତାଙ୍କର ଚିକିତ୍ସା ସମୟରେ ମୃତ୍ୟୁ ହୋଇଥିଲା। ପୋଷ୍ଟମର୍ଟମ ରିପୋର୍ଟରେ ତାଙ୍କ ମୃତ୍ୟୁର କାରଣ ‘ବହୁ ଆଘାତ’ ବୋଲି ଉଲ୍ଲେଖ କରାଯାଇଛି। ପୋଲିସ ଝିଅର ମାଆର ଅଭିଯୋଗରେ ବାପାକୁ ଗିରଫ କରିଛି।