fbpx

ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂର ଡର, ବିଧାୟକଙ୍କୁ ଦିଲ୍ଲୀ ଡକାଇଲା କଂଗ୍ରେସ, ନିଆଯିବ ରାୟପୁର

ନୂଆଦିଲ୍ଲୀ: ରାଜ୍ୟସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ନିଜ ନିଜର ରଣନୀତି ପ୍ରସ୍ତୁତିରେ ଜୁଟିଛନ୍ତି। ନାମାଙ୍କନ ପତ୍ର ବି ଦାଖଲ ସରିଲାଣି। ତେବେ ଏହା ମଧ୍ୟରେ କଂଗ୍ରେସକୁ ଘାରିଛି କ୍ରସ ଭୋଟିଂର ଭୟ। ଏଥିରୁ ବଞ୍ଚିବା ପାଇଁ ହରିୟାଣାର କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଡକାଯାଇଛି। ହାଇକମାଣ୍ଡ ସମସ୍ତ ବିଧାୟକଙ୍କୁ ଦିଲ୍ଲୀ ପହଞ୍ଚିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି। ଦିଲ୍ଲୀ ପହଞ୍ଚିବା ପରେ ବିଧାୟକଙ୍କ ଏକ ବୈଠକ ହେବ। ଏଠାରୁ ବିଧାୟକଙ୍କୁ ରାୟପୁର ନିଆଯିବ। କ୍ରସ ଭୋଟିଂରୁ ବର୍ତ୍ତିବା ପାଇଁ କଂଗ୍ରେସ ଏମିତି ଯୋଜନା ପ୍ରସ୍ତୁତ କରିଛି।

ରାଜ୍ୟସଭା ନିର୍ବାଚନରେ ବିଧାୟକଙ୍କୁ ଏକାଠି ରଖିବା ପାଇଁ ଏମିତି ନିଷ୍ପତ୍ତି ନେଇଛି କଂଗ୍ରେସ। ଗୁରୁବାର ହେବାକୁ ଥିବା ବୈଠକକୁ ରାଜ୍ୟ ପ୍ରଭାରୀ ବିବେକ ବଂଶଲଙ୍କୁ ମଧ୍ୟ ଡକାଯାଇଛି। ରାଜ୍ୟସଭା ନିର୍ବାଚନରେ ଭୋଟିଂ କେମିତି କରିବା ଏବଂ ବିଧାୟକଙ୍କୁ କେମିତି ଏକଜୁଟ ରଖିବା ସେ ସଂପର୍କରେ ବିସ୍ତୃତ ଆଲୋଚନା କରାଯିବ। ଅନ୍ୟ ଦଳର ପ୍ରଲୋଭନରେ ଯେମିତି ନପଡିବେ ସେ ନେଇ ବିଧାୟକଙ୍କୁ ଟ୍ରେନିଂ ମଧ୍ୟ ଦିଆଯିବ। ଗତ ଥର କଂଗ୍ରେସର କିଛି ବିଧାୟକ କ୍ରସ ଭୋଟିଂ କରିଥିଲେ। ତେଣୁ ବେଳ ଥାଉ ଥାଉ କଂଗ୍ରେସ ଏଥର ସତର୍କ ରହିଛି।

ହରିୟାଣାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିନୋଦ ଶର୍ମାଙ୍କ ପୁଅ କାର୍ତ୍ତିକେୟ ଶର୍ମା ରାଜ୍ୟସଭା ପାଇଁ ଜଣେ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଶର୍ମାଙ୍କୁ ହରିୟାଣାରେ ଜେଜେପିର ୧୦ ବିଧାୟକଙ୍କ ସମର୍ଥନ ରହିଛି। ଏପରିକି ବିଜେପି ସହିତ ଅନେକ ନିର୍ଦ୍ଦଳୀୟ ବିଧାୟକ ତାଙ୍କୁ ସମର୍ଥନ ଦେବାର ସମ୍ଭାବନା ରହିଛି। ଅପରପକ୍ଷେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଅଛନ୍ତି ଅଜୟ ମାକନ।

ପୂର୍ବତନ ମନ୍ତ୍ରୀ ବିନୋଦ ଶର୍ମାଙ୍କ ପୁଅ କାର୍ତ୍ତିକେୟ ମଇଦାନକୁ ଓହ୍ଲାଇବାରୁ ମୁକାବିଲା ରୋଚକ ହୋଇ ଯାଇଛି। ଏହି ନିର୍ବାଚନରେ କିଛି ବଡ ଖେଳ ହେବାର ଅନୁମାନ କରାଯାଉଛି। ଅଜୟ ମାକନ ଏବଂ କାର୍ତ୍ତିକେୟ ଶର୍ମା ଦୁହେଁ ସଂପର୍କୀୟ। ସେ ଏହି ନିର୍ବାଚନରେ ଅଜୟ ମାକନଙ୍କ ଖେଳ ବିଗାଡି ପାରନ୍ତି। କଂଗ୍ରେସ ତରଫରୁ ଜେଜେପି ବିଧାୟକଙ୍କ ମେଳିକୁ ଭାଙ୍ଗିବାର ପ୍ରୟାସ ହୋପାରେ। ତେଣୁ ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂର ବିପଦ ବଢି ଯାଇଛି।

Get real time updates directly on you device, subscribe now.