fbpx

୨୦୦୦ ଟଙ୍କିଆ ନୋଟକୁ ନେଇ ଅର୍ଥ ମନ୍ତ୍ରାଳୟର ବଡ଼ ଘୋଷଣା: ବଦଳିବ କି ସମୟସୀମା?

ନୂଆଦିଲ୍ଲୀ: ମେ’ ୧୯ ତାରିଖରୁ ୨୦୦୦ ଟଙ୍କିଆ ନୋଟର ପ୍ରଚଳନ ବନ୍ଦ କରିବା ପାଇଁ ଘୋଷଣା କରାଯାଇଛି । ତେଣୁ ଏହାକୁ ବ୍ୟାଙ୍କରେ ଜମା କରିବା ସହ ବଦଳାଇବା ପାଇଁ ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସମୟସୀମା ଦେଇଛନ୍ତି କେନ୍ଦ୍ର ସରକାର । ଏହି ୪ ମାସ ମଧ୍ୟରେ ସମସ୍ତ ୨୦୦୦ ଟଙ୍କିଆ ନୋଟ ରିଜର୍ଭ ବ୍ୟାଙ୍କକୁ ଫେରି ଆସିବା ନେଇ ଅନୁମାନ କରାଯାଉଛି । ତେବେ ବର୍ତ୍ତମାନ ଏହି ସମୟସୀମାକୁ ନେଇ ଅର୍ଥ ମନ୍ତ୍ରାଳୟ ତରଫରୁ ଏକ ବଡ଼ ଘୋଷଣା କରାଯାଇଛି ।

୨୦୦୦ଟଙ୍କିଆ ନୋଟ ବଦଳ ପାଇଁ ଦିଆଯାଇଥିବା ସମୟସୀମାକୁ ବୃଦ୍ଧି କରିବା ନେଇ ଲୋକସଭାରେ ଉତ୍ତର ରଖିଛନ୍ତି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୂରୀ । ଏହି ସମୟସୀମାକୁ ପୁଣିଥରେ ପରିବର୍ତ୍ତନ କରିବା ନେଇ କୌଣସି ଆଲୋଚନା ହେଉନାହିଁ କିମ୍ବା ସେପରି କୌଣସି ଯୋଜନା ମଧ୍ୟ ନାହିଁ । ସରକାର ଏହି ସମ୍ବନ୍ଧରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବିଚାର କରିନାହାନ୍ତି । ଏହାପରେ ତାଙ୍କୁ ୨୦୦୦ ଟଙ୍କିଆ ନୋଟ ଚାପିବାରେ ହୋଇଥିବା ଖର୍ଚ୍ଚ ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା । ଏହାକୁ ନେଇ ସେ ରିଜର୍ଭ ବ୍ୟାଙ୍କର ସମସ୍ତ ରିପୋର୍ଟ ଲୋକସଭାରେ ଶୁଣାଇଛନ୍ତି । ଏହି ପ୍ରଶ୍ନର ଉତ୍ତରରେ ପଙ୍କଜ ରିଜର୍ଭ ବ୍ୟାଙ୍କର ବାର୍ଷିକ ରିପୋର୍ଟ ଦାଖଲ କରିଛନ୍ତି । ଏହି ରିପୋର୍ଟ ୨୦୧୬-୧୭ ଅନୁସାରେ, ୨୦୧୭ ଜୁନ୍ ଶେଷ ସୁଦ୍ଧା ସିକ୍ୟୁରିଟି ପ୍ରିଣ୍ଟିଂ ପାଇଁ ମୋଟ ୭,୯୬୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

୨୦୧୬ ମସିହା ନଭେମ୍ବରରୁ ବଜାରରେ ୫୦୦ ଏବ ୧୦୦୦ ଟଙ୍କିଆ ନୋଟ ଉପରେ ବ୍ୟାନ ଲଗାଇଥିବା ବେଳେ ଏହା ପରିବର୍ତ୍ତେ ୨୦୦୦ଟଙ୍କିଆ ନୋଟ୍ ବ୍ୟବହାର ଆରମ୍ଭ ହୋଇଥିଲା । ତେବେ ପରେ ଯଥେଷ୍ଟ ପରିମାଣର ୫୦୦ ଟଙ୍କିଆ ନୋଟ୍ ଆସିବା ପର୍ଯ୍ୟନ୍ତ ଏହାକୁ ପ୍ରିଣ୍ଟ କରାଯାଇଥିଲା । ତେବେ ୫୦୦ ଟଙ୍କିଆ ନୋଟର ବ୍ୟବହାର ସ୍ୱାଭାବିକ ହେବାରୁ ୨୦୧୮-୧୯ରେ ରିଜର୍ଭ ବ୍ୟାଙ୍କ ନୂଆ ୨୦୦୦ ଟଙ୍କିଆ ନୋଟ ପ୍ରିଣ୍ଟିଂ ବନ୍ଦ କରିଛି ।

Get real time updates directly on you device, subscribe now.