fbpx

ଓଡ଼ିଶାରେ ପ୍ରତିଷ୍ଠା ହେବ ପ୍ରଥମ ‘ବୋନ ବ୍ୟାଙ୍କ’: ମେଶିନ୍ ଆଣିବା ପାଇଁ ଖୋଲାଗଲା ଟେଣ୍ଡର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସ୍ୱାସ୍ଥ୍ୟ କ୍ଷେତ୍ରରେ ଆଗକୁ ବଢ଼ିବ ଓଡ଼ିଶା । କଟକର ଏସସିବିରେ ରାଜ୍ୟର ପ୍ରଥମ ‘ବୋନ ବ୍ୟାଙ୍କ’ ଖୋଲିବା ପାଇଁ ରାଜ୍ୟ ସରକାର ପୂର୍ବରୁ ନିଷ୍ପତ୍ତି ନେଇ ଥିବା ବେଳେ ଏନେଇ ଏବେ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟରେ ବୋନ୍ ବ୍ୟାଙ୍କ ଖୋଲିବା ଫଳରେ ରକ୍ତ ଭଳି ହାଡ଼ ମଧ୍ୟ ଅତି ସହଜରେ ମିଳି ପାରିବ । ଅର୍ଥପେଡିକ ତଥା ଅସ୍ଥିଶଲ୍ୟ ବିଭାଗ ପକ୍ଷରୁ ଏନେଇ ଗତ ମେ ମାସରେ ମେଶିନ୍ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥିଲା ।

‘ବୋନ୍ ବ୍ୟାଙ୍କ’ ପ୍ରତିଷ୍ଠା ପାଇଁ ଆବଶ୍ୟକୀୟ ମେଶିନ ଓ ଅନ୍ୟାନ୍ୟ ସରଞ୍ଜାମ ଅଣାଯିବ । ଏଥିପାଇଁ ଟେଣ୍ଡର ଖୋଲାଯାଇଥିବା ବଡ଼ମେଡିକାଲରେ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଏନେଇ ଏସସିବିରେ ଭିତ୍ତିଭୂମି ପ୍ରସ୍ତୁତ କରାଯିବା ସହିତ ଆସନ୍ତା ୭ ଦିନ ମଧ୍ୟରେ ଗୃହ ନିର୍ମାଣ କାର୍ଯ୍ୟ ସମାପ୍ତ ହେବ । ପୂର୍ବରୁ ଯେଉଁ ହାଡ଼ କାଟି ଫିଙ୍ଗି ଦିଆଯାଉଥିଲା ଏବେ ତାହାକୁ ସଂରକ୍ଷିତ କରି ରଖାଯିବ । ଉକ୍ତ ହାଡ଼କୁ ପରବର୍ତ୍ତୀ ସମୟରେ ଅନ୍ୟ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯାଇ ପାରିବ ।

ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ପ୍ରଥମ ଥର ପାଇଁ ଏଭଳି ବ୍ୟବସ୍ଥା ଗ୍ରହଣ କରାଯାଇଛି । ଟାଟା ମେମୋରିଆଲ, ଦିଲ୍ଲୀ ଏମ୍ସ, ଚେନ୍ନାର କିଛି ଘରୋଇ ହସ୍ପିଟାଲରେ ଏହି ବ୍ୟବସ୍ଥା ରହିଥିବା ବେଳେ ଓଡ଼ିଶାରେ ଏହା ଉପଲବ୍ଧ ପାଇଁ ଅସ୍ଥିଶଲ୍ୟ ବିଭାଗ ପ୍ରସ୍ତୁତି ଚଳାଇଛି । ବଡ଼ ବଡ଼ ଦୁର୍ଘଟଣାରେ ହାଡ଼ ଗୁଣ୍ଡ ହୋଇଯାଉଥିବା ସମୟରେ ସଂରକ୍ଷିତ ହାଡ଼କୁ ଉପଯୋଗ କରାଯାଇ ପାରିବ । ଲାଇଭ୍ ଡୋନର ବା ମୃତଦେହରୁ ସଂଗୃହୀତ ହାଡ଼କୁ ମାଇନସ ୪୦ ଡିଗ୍ରୀରୁ ମାଇନସ ୮୦ ଡିଗ୍ରୀ ଥଣ୍ଡାରେ ସଂରକ୍ଷିତ କରି ରଖାଯାଇ ପାରିବ । ଏନେଇ ନିକଟରେ ମେଡିକାଲ ଶିକ୍ଷା ଓ ତାଲିମ୍ ନିର୍ଦ୍ଦେଶାଳୟ (ଡିଏମଇଟି) କାର୍ଯ୍ୟାଳୟର ଏକ ଟିମ୍ ଅସ୍ଥିଶଲ୍ୟ ବିଭାଗ ପରିଦର୍ଶନ କରିଥିଲା ।

Get real time updates directly on you device, subscribe now.