fbpx

ପ୍ରଥମ ଦିନର ମାଟ୍ରିକ ପରୀକ୍ଷାରେ ଅବ୍ୟବସ୍ଥା: ଧରାପକାଇଲା AI

ଭୁବନେଶ୍ୱର: ଆଜିଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିଲା । ପରୀକ୍ଷା ସେଣ୍ଟର ଗୁଡ଼ିକରେ ଅବ୍ୟବସ୍ଥାକୁ ରୋକିବା ପାଇଁ AI କ୍ୟାମେରା ଲଗାଯାଇଥିଲା । ତେବେ ଏହି ପ୍ରଥମ ଦିନର ମାଟ୍ରିକ ପରୀକ୍ଷାରେ ଅବ୍ୟବସ୍ଥାକୁ AI ଧରାପକାଇଛି । ପ୍ରବେଶ ପଥରେ ସଠିକ ଯାଞ୍ଚ ହୋଇନଥିବାରୁ ବୋର୍ଡକୁ ଜଣାଇଲା ବୋର୍ଡ । ଏଥିପାଇଁ କଡାକଡି ଯାଞ୍ଚ କରିବାକୁ ଡିଇଓଙ୍କୁ ବୋର୍ଡ କତ୍ତୃପକ୍ଷ ନିର୍ଦ୍ଦେଶ ଜାରି କରିଛନ୍ତି । କିଛି କେନ୍ଦ୍ରରେ ଡେସ୍କ ବେଞ୍ଚ ଅବ୍ୟବସ୍ଥିତ ଥିବା ମଧ୍ୟ ଧରିଲା AI।

ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାଇଁ ୫ ଲକ୍ଷ ୫୧ ହଜାର ୬୧୧ ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ବୋର୍ଡ ପକ୍ଷରୁ ୩ ହଜାର ୭୩ଟି ପରୀକ୍ଷା କେନ୍ଦ୍ର ଏବଂ ଦୁର୍ଗମ ଅଞ୍ଚଳର ୨୧ଟି ଥାନାକୁ ନୋଡାଲ୍ ସେଣ୍ଟର କରାଯାଇଛି। ଏହା ସହ ବ୍ୟବସ୍ଥିତ ଭାବେ ପରୀକ୍ଷାକୁ ପରିଚାଳିତ କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ତେବେ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ ରୋକିବାକୁ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି।

ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ହେଉଥିବା କପି ଏବଂ ପରିଚାଳନାରେ ତ୍ରୁଟିଗୁଡ଼ିକୁ ରୋକିବା ପାଇଁ ସେଣ୍ଟରଗୁଡ଼ିକରେ ଏଆଇ ଆଧାରିତ ସିସିଟିଭି ଲଗାଯାଇଛି। ଶିକ୍ଷା ପରିଷଦର ଏହି ପଦକ୍ଷେପ ଦ୍ୱାରା ପରୀକ୍ଷା ପରିଚାଳନାରେ ସୁଧାର ଏବଂ ସଂସ୍କାର ଆସିପାରିବ ବୋଲି ଆଶା କରାଯାଉଛି । ଏଥିପାଇଁ ବୋର୍ଡ ପକ୍ଷରୁ ପରୀକ୍ଷା କେନ୍ଦ୍ର ଏବଂ ନୋଡାଲ ସେଣ୍ଟରରେ ତ୍ରିସ୍ତରୀୟ ସିସିଟିଭି କ୍ୟାମେରା ଲଗାଯାଇଛି । ଦେଶର ପ୍ରଥମ ବୋର୍ଡ ଭାବେ BSE ବ୍ୟବହାର କରିବ AI।

Get real time updates directly on you device, subscribe now.