fbpx

ପ୍ରଥମ ଥର ପ୍ରତିରକ୍ଷାରେ ୧୦୦ ପ୍ରତିଶତ FDIକୁ ମିଳିଲା ମଞ୍ଜୁରୀ: ଭାରତରେ ରକେଟ୍ ଉତ୍ପାଦନ କରିବ ବିଦେଶୀ କମ୍ପାନୀ

ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରର ଘରୋଇ ଉତ୍ପାଦନ ପାଇଁ ବଡ଼ ନିବେଶକୁ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଛନ୍ତି । ପ୍ରଥମ ଥର ପାଇଁ ପ୍ରତିରକ୍ଷା କ୍ଷେତ୍ରରେ ୧୦୦ ପ୍ରତିଶତ ପ୍ରତ୍ୟକ୍ଷ ବିଦେଶୀ ନିବେଶ (ଏଫଡିଆଇ)କୁ ଭାରତ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି ନିବେଶ ପରେ ଭାରତରେ ବିଶ୍ୱର ପ୍ରସିଦ୍ଧ କମ୍ପାନୀ ମେଡ-ଇନ-ଇଣ୍ଡିଆ ରକେଟ ନିର୍ମାଣ କରିବ ।

ସ୍ୱିଡେନର ସାବ କମ୍ପାନୀ ଭାରତରେ ରକେଟ ନିର୍ମାଣ କରିବ । କମ୍ପାନୀ ଭାରତରେ ‘କାର୍ଲ ଗୁସ୍ତାଫ ଏମ ୪ ସିଷ୍ଟମ ରକେଟ’ର ନୂଆ ପିଢ଼ି ନିର୍ମାଣ କରିବ । ତେବେ ଏହି ଏଫଡିଆଇ ପ୍ରସ୍ତାବର ମୂଲ୍ୟ ପାଖାପାଖି ୫ ଶହ କୋଟି ବୋଲି କୁହାଯାଉଛି । ପୂର୍ବରୁ କମ୍ପାନୀ ଏହି ରକେଟକୁ ସ୍ୱିଡେନରେ ନିର୍ମାଣ କରୁଥିବା ବେଳେ ତାହାକୁ ଭାରତୀୟ ସେନାରେ ବ୍ୟବହାର କରାଯାଉଥିଲା ।

ଏହି ପ୍ରସ୍ତାବିତ ରକେଟ କାରଖାନା ଭାରତର କେଉଁ ରାଜ୍ୟରେ ପ୍ରତିଷ୍ଠା ହେବ ସେନେଇ ଅନେକ ପ୍ରଶ୍ନ ଉଠିଛି । ତେବେ ଏହା ହରିୟାଣାରେ ହୋଇପାରେ ବୋଲି କୁହାଯାଉଛି । ତେବେ ଆସନ୍ତା ବର୍ଷ ଠାରୁ କମ୍ପାନୀ ଏହାର ଉତ୍ପାଦନ ଆରମ୍ଭ କରିବ ବାଲି ସାବ ପକ୍ଷରୁ ୱେବସାଇଟରେ ସୂଚନା ଦିଆଯାଇଛି । ଭାରତରେ ମେଡ-ଇନ-ଇଣ୍ଡିଆ ରକେଟ ନିର୍ମାଣ ହେବା ନିଶ୍ଚିତ ଭାବେ ଏକ ବଡ଼ କଥା । ସୂଚନାଯୋଗ୍ୟ ଯେ, ଭାରତରେ ବର୍ତ୍ତମାନ ୭୪ ପ୍ରତିଶତ ଏଫଡିଆଇ ପ୍ରତିରକ୍ଷା କ୍ଷେତ୍ରରେ ଲାଗୁ ହୋଇଥିବାରୁ କୌଣସି ବିଦେଶୀ କମ୍ପାନୀ ୧୦୦ ପ୍ରତିଶତ ନିବେଶ ନେଇ ଅନୁମତି ପାଉନଥିଲେ ।

Get real time updates directly on you device, subscribe now.