fbpx

ନୂଆବର୍ଷରେ ବି ନିସ୍ତାର ନାହିଁ: ରାଜ୍ୟରୁ ପୁଣି ଚିହ୍ନଟ ହେଲେ ୫ ଜଣ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୨୩ ପୁରୁଣା ବର୍ଷ ବିଦାୟ ନେଇ ନୂଆବର୍ଷ ୨୦୨୪ ପାଦ ଦେଇଥିଲେ ବି କରୋନା ସଂକ୍ରମଣରୁ ଜନସାଧାରଣଙ୍କୁ ନିସ୍ତାର ମିଳିପାରି ନାହିଁ । ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟରୁ ୨ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଜି ଦ୍ୱିତୀୟ ଦିନରେ ୫ ଜଣ ଚିହ୍ନଟ ହୋଇଛନ୍ତି । ନୂଆବର୍ଷ ଅବସରରେ ସମସ୍ତେ ସାଙ୍ଗସାଥୀ, ବନ୍ଧୁ ପରିଜନଙ୍କ ସହିତ ଭୋଜିଭାତ ଓ ପିକନିକରେ ମସଗୁଲ ରହିଥିବା ବେଳେ କରୋନା ନିୟମ ମାନିବା ଆବଶ୍ୟକ ।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଆଉ ୫ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୪ରେ ପହଞ୍ଚିଛି । ପୂର୍ବରୁ ଜଣେ ସଂକ୍ରମିତ ସୁସ୍ଥ ହୋଇଥିଲେ । ଗତକାଲି ରାଜ୍ୟରୁ ୨ ଜଣ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ ପଜିଟିଭ୍ ସଂଖ୍ୟା ୨୦ରେ ପହଞ୍ଚିଥିଲା । ଆଜିର ସଂକ୍ରମିତଙ୍କୁ ମିଶାଇ ମୋଟ ମାମଲା ୨୪ରେ ପହଞ୍ଚି ଯାଇଛି । ଗତ ୨୪ ଘଣ୍ଟରେ ୨୯୫ ନମୂନା ପରୀକ୍ଷା କରାଯାଇଥିଲା ।

ତେବେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଏବେ ୨୪ରେ ପହଞ୍ଚିଯାଇଥିବା ବେଳେ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କତା ଜାରି କରାଯିବା ସହ ଭୟଭୀତ ନ ହେବାକୁ ପରାମର୍ଶ ଦିଆଯାଇଛି । କୋଭିଡ୍ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ବିଭାଗ ପକ୍ଷରୁ କୁହାଯାଇଛି । ସେହିପରି ପୂର୍ବରୁ ରାଜ୍ୟର ସମସ୍ତ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲକୁ ଚିଠି ଲେଖି କରୋନା ନିୟମାବଳୀ ମାନିବାକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପକ୍ଷରୁ କୁହାଯାଇଥିଲା । ଯେଉଁମାନଙ୍କ ଠାରେ ଥଣ୍ଡା, ଜ୍ୱର, କାଶ ଲାଗି ରହୁଛି ସେମାନେ ପୃଥକ୍ ଭାବେ ରହିବା ସହିତ ପରୀକ୍ଷା କରାଇବାକୁ କୁହାଯାଇଛି । ଏଥିସହିତ ବହୁବିଧ ରୋଗୀମାନେ ଭିଡ଼କୁ ନ ଯିବାକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର କହିଛନ୍ତି ।

Get real time updates directly on you device, subscribe now.