fbpx

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟକୁ ଫାଇଭ ଷ୍ଟାର୍ “କଳିଙ୍ଗ ପରିବେଶ ଉତ୍କର୍ଷ ପୁରସ୍କାର”

Advertisement

କଟକ: ଉନ୍ନତ ପରିବେଶ ସୁରକ୍ଷା ଓ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟକୁ ୨୦୨୩ ଶିକ୍ଷାବର୍ଷ ନିମନ୍ତେ ଅନୁଷ୍ଠିତ ନବମ ଜାତୀୟ ପରିବେଶ, ଶକ୍ତି ଏବଂ ଜଳବାୟୁ ପରିବର୍ତ୍ତନ-୨୦୨୪ ସମ୍ମିଳନୀରେ ଫାଇଭ ଷ୍ଟାର ବର୍ଗରେ ସମ୍ମାନଜନକ ‘କଳିଙ୍ଗ ପରିବେଶ ଉତ୍କର୍ଷ ପୁରସ୍କାର’ ପ୍ରଦାନ କରାଯାଇଛି। ପୁରସ୍କାର ପ୍ରଦାନ ସମାରୋହରେ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିବା ବିଶ୍ୱବିଦ୍ୟାଳୟର ମାନ୍ୟବର କୁଳପତି ପ୍ରଫେସର (ଡଃ) ବି. ଆର୍. ଶର୍ମାଙ୍କୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡର ସ୍ୱାଧୀନ ନିର୍ଦ୍ଦେଶକ (ଅବସର ପ୍ରାପ୍ତ ଆଇଏଏସ୍) ତଥା ଗେଲ ଗ୍ୟାସ ଲିମିଟେଡର ବାହ୍ୟ ପରିଚାଳକ ଶ୍ରୀଯୁକ୍ତ ଅଶୋକ କୁମାର ତ୍ରିପାଠୀ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ପରିବେଶ ରକ୍ଷଣାବେକ୍ଷଣ ଓ ସୁରକ୍ଷା ଦିଗରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଅତୁଟ ପ୍ରତିବଦ୍ଧତାକୁ ଭୁୟସୀ ପ୍ରଶଂସା କରିଥିଲେ। ସମାରୋହରେ ବହୁ ବିଶିଷ୍ଟ ଅତିଥିଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ଉପସ୍ଥିତ ଥିଲେ।

EECC-୨୦୨୪ର ଅଧ୍ୟକ୍ଷ ଶ୍ରୀ ବିନୋଦ କୁମାର ସ୍ୱାଗତ ଭାଷଣ ପ୍ରଦାନ କରି କାର୍ୟ୍ୟକ୍ରମର ଶୁଭାରମ୍ଭ କରିଥିଲେ। ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର (ଡଃ) ବି. ଆର୍. ଶର୍ମା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ପରିବେଶ ପରିଚାଳନାରେ ବିଶ୍ୱବିଦ୍ୟାଳୟର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଏହାପରେ ହାଇଦ୍ରାବାଦ ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ଏଣ୍ଟରପ୍ରାଇଜ ନିର୍ଦ୍ଦେଶକ ପ୍ରଫେସର ଏସ୍. ଶ୍ରୀନିବାସ ମୂର୍ତ୍ତି ମଧ୍ୟ ନିଜର ମତ ରଖିଥିଲେ। ଉତ୍ସବରେ ଅନ୍ୟତମ ସମ୍ମାନିତ ଅତିଥି ଭାବରେ କୋଲକାତା ସ୍ଥିତ ପିପୁଲ୍ସ ରିପବ୍ଲିକ୍ ଅଫ ବାଂଲାଦେଶର ଡେପୁଟି ହାଇ କମିଶନର ଶ୍ରୀ ଆଣ୍ଡାଲିବ୍ ଇଲିୟାସ୍ ଏବଂ ଲେସୋଥୋର ହାଇ କମିଶନର ଲେବୋହାଙ୍ଗ ଭାଲେଣ୍ଟାଇନ୍ସ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ।

ଆଇକ୍ୟୁଏମଏସର ସିଇଓ ତଥା ଇଇସିସି-୨୦୨୪ର ଆବାହକ ଦେବବ୍ରତ ପାଣିଗ୍ରାହୀ ‘କଳିଙ୍ଗ ଉତ୍କର୍ଷ ପୁରସ୍କାର’ ସମ୍ପର୍କରେ ସୂଚନା ଦେବା ସହ ୨୦୨୩ ପାଇଁ ଫାଇଭ ଷ୍ଟାର ବର୍ଗରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟକୁ କ୍ୟାମ୍ପସ ତଥା ବ୍ୟାପକ ସମ୍ପ୍ରଦାୟ ମଧ୍ୟରେ ପରିବେଶ ପରିଚାଳନା, ଶକ୍ତି ଦକ୍ଷତା ଏବଂ ନିରନ୍ତର ଅଭ୍ୟାସକୁ ପ୍ରୋତ୍ସାହିତ କରିବାରେ ବିଶ୍ୱବିଦ୍ୟାଳୟର ଚେଷ୍ଟା ଏବଂ ଉଲ୍ଲେଖନୀୟ ସଫଳତା ନିମନ୍ତେ ଏହି ମର୍ୟ୍ୟାଦାଜନକ ପୁରସ୍କାର ପ୍ରଦାନ କରାଯାଇଛି ବୋଲି ଉଲ୍ଲେଖ କରିଥିଲେ।

ବିଶ୍ୱବିଦ୍ୟାଳୟର ବିଜ୍ଞାନ ବିଭାଗର ସହକାରୀ ପ୍ରାଧ୍ୟାପକ ତଥା ‘ଶ୍ରୀ ଶ୍ରୀ ସେଣ୍ଟର ଅଫ୍ ଆଡଭାନ୍ସଡ ରିସର୍ଚ୍ଚ ଇନ୍ ୱାଟର ରିସୋର୍ସ ଆଣ୍ଡ୍ ଏନଭାଇରନମେଣ୍ଟାଲ ମ୍ୟାନେଜମେଣ୍ଟ’ (SSCARWREM)ର ନିର୍ଦ୍ଦେଶକ ଶ୍ରୀ ସତ୍ୟଜିତ ଆର୍ୟ୍ୟ ବିଷୟ ସମ୍ପର୍କିତ ଅଭିଭାଷଣ ପ୍ରଦାନ କରିଥିଲେ। ‘ବର୍ଜ୍ୟବସ୍ତୁରୁ ସ୍ୱର୍ଣ୍ଣ- ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ସ୍ଥାୟୀତ୍ୱ ଅଭ୍ୟାସ’ ଶୀର୍ଷକ ଏହି ଉପସ୍ଥାପନାରେ ବିଶ୍ୱବିଦ୍ୟାଳୟର ଜମିକୁ ଏକ ଉଜ୍ଜ୍ୱଳ ସବୁଜିମା ଭରା ପରିବେଶରେ ପରିଣତ କରିବା ସମ୍ପର୍କରେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଏହି ସଫଳ ପ୍ରକଳ୍ପ ମାଧ୍ୟମରେ ବିଶ୍ୱବିଦ୍ୟାଳୟର ପରିବେଶ ପରିଚାଳନା ଦ୍ୱାରା ପଡ଼ିଆ ଜମିକୁ ଏକ ସମୃଦ୍ଧ ଓ ପରିବେଶ ଅନୁକୁଳ ଜମିରେ ପରିଣତ କରିବା ପାଇଁ ବିଶ୍ୱବିଦ୍ୟାଳୟ ନେଇଥିବା ଅଭିନବ ପ୍ରୟାସ ଓ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ। ଏହାପରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ପରିବେଶ ସୁପରିଚାଳନା କ୍ଷେତ୍ରରେ ଅବଦାନ ଥିବା ସମ୍ମାନିତ ବ୍ୟକ୍ତିମାନଙ୍କୁ ସ୍ମୃତି ସନ୍ତକ ପ୍ରଦାନ ପୂର୍ବକ ପୁରସ୍କାର ପ୍ରଦାନ ସମାରୋହ ସମ୍ପନ୍ନ ହୋଇଥିଲା।

Get real time updates directly on you device, subscribe now.