fbpx

କୁହୁଡି ପାଇଁ ବିଳମ୍ବ ହେଲା ୪ଟି ବିମାନ ସେବା

ଭୁବନେଶ୍ୱର:ରାଜ୍ୟରେ କିଛିଦିନ ହେବ ଶୀତର ମାତ୍ରା କମ ଥିବା ବେଳେ ଆଜି କଟକ ଏବଂ ଭୁବନେଶ୍ୱର ସହରରେ ଘନ କୁହୁଡି ଦେଖିବାକୁ ମିଳିଛି । ଫଳରେ ୫୦ମିଟର ମଧ୍ୟରେ ଥିବା ଦୂରତା ଦେଖାଯାଉନାହିଁ । ତେବେ ମାତ୍ରାଧିକ କୁହୁଡ଼ି ଯୋଗୁ ରାସ୍ତାରେ ଗାଡିଚଳାଚଳ ଏବଂ ଯାତାୟତ ପ୍ରଭାବିତ ହୋଇଛି । ଏଥିସହିତ ଏହି ଘନ କୁହୁଡି କାରଣରୁ ବିମାନ ଅବତରଣ ଏବଂ ଉଡାଣ ଭରିବାରେ ମଧ୍ୟ ବିଳମ୍ବ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ ସକାଳେ ଟ୍ୱିନ୍ ସିଟି କଟକ ଏବଂ ଭୁବନେଶ୍ୱରରେ ଘନ କୁହୁଡି ଦେଖିବାରୁ ମିଳିଛି । ଫଳରେ ଏହା କାରଣରୁ ଭୁବନେଶ୍ୱରରେ ବିମାନ ସେବା ବାଧା ପ୍ରାପ୍ତ ହୋଇଛି । ରାଜଧାନୀରୁ ଉଡାଣ ଭରିବାକୁ ଥିବା ବିମାନ ବିଳମ୍ବିତ ହେଉଥିବା ସୂଚନା ମିଳିଛି । ସେହିପରି ଭୁବେଶ୍ୱରରେ ୪ ଟି ବାମାନ ଅବତରଣ କରିବାରେ ମଧ୍ୟ ଡେରି ହେବ ବୋଲି ଜଣାପଡିଛି ।

ତେବେ ବାୟୁମଣ୍ଡଳରେ ଅଧିକ ଧୂଳିକଣା ଓ ଅର୍ଦ୍ରାତା ପାଇଁ କୁହୁଡି ସୃଷ୍ଟି ହୋଇଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛନ୍ତି । ତେବେ ପରବର୍ତ୍ତୀ ୪ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ସହରର ତାପମାତ୍ରାରେ ୨ ରୁ ୪ ଡିଗ୍ରି ପର୍ଯ୍ୟନ୍ତ ତଳକୁ ଖସିବାର ସମ୍ଭାବନା ରହିଛି । ଅନ୍ୟପଟେ ସୋମବାର ଦିନ ଦକ୍ଷିଣ ଅଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ହୋଇଛି । ଗତ ୨ ଦିନ ହେଲା ରାଜ୍ୟରେ ଶୀତ କମିଥିବା ବେଳେ ରାଜ୍ୟର ସର୍ବନିମ୍ନ ତାପମାତ୍ରା କିରେଇଠାରେ ୧୨ ଡିଗ୍ରି ରେକର୍ଡ ହୋଇଛି। ସେହିଭଳି ସୁନ୍ଦରଗଡ଼ ଓ କେନ୍ଦୁଝରରେ ୧୩.୨ ଡିଗ୍ରି, ଓ ଜି. ଉଦୟଗିରିରେ ୧୩.୬ ଡିଗ୍ରି ରାତି ତାପମାତ୍ରା ରେକର୍ଡ ହୋଇଛି। ରାଜଧାନୀ ଭୁବନେଶ୍ବରରେ ଗତ ରାତିରେ ସର୍ବନିମ୍ନ ତାପମାତ୍ରା ୧୭.୭ ଡିଗ୍ରି ଓ କଟକର ରହିଥିଲା ୧୭ ଡିଗ୍ରି ।

Get real time updates directly on you device, subscribe now.