ନୂଆଦିଲ୍ଲୀ: ଆସାମରେ ବନ୍ୟା ପରିସ୍ଥିତି ରବିବାର ଦିନ ଆହୁରି ବିଗିଡ଼ିଯାଇଛି, ଫଳରେ ୩୩ ଜିଲ୍ଲାରେ ପ୍ରାୟ ୪୨.୨୮ ଲକ୍ଷ ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି । ସବୁଆଡ଼େ ହାହାକାର ପଡ଼ିଯାଇଛି । ସାରା ରାଜ୍ୟକୁ ବର୍ଷା ଓ ବନ୍ୟା କବଳିତ କରିଛି । ଚଳିତବର୍ଷ ବନ୍ୟାରେ ୫ ଦିନ ମଧ୍ୟରେ ମୃତ୍ୟୁସଂଖ୍ୟା ୩୪କୁ ବୃଦ୍ଧି ପାଇଛି । ଏହି କ୍ରମରେ ବନ୍ୟା ଓ ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୭୧ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ୩ ଶିଶୁ ସହିତ ୯ ଜଣଙ୍କର ମୃତ୍ୟୁ ହୋଇଛି ।
କୁହାଯାଉଛି ଯେ, ବନ୍ୟା ପାଣିରେ ବୁଡ଼ି ୬ ଲୋକଙ୍କର ମୃତ୍ୟୁ ହୋଇଛି । ଏହା ସହ ଭୂସ୍ଖଳନରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ବନ୍ୟା ଘେରରେ ରହିଛି ୫୧୩୭ ଗାଁ । ଏବେ ବି ଆସାମରେ ପ୍ରବଳ ବର୍ଷା ଲାଗି ରହିଛି ।
ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ବିଭିନ୍ନ ବନ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ରିଲିଫ ଓ ଖାଦ୍ୟ ଯୋଗାଣ ଉପରେ ଗୁରୁତ୍ୱ ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଫୋନ୍ ଯୋଗେ ମୁଖ୍ୟମନ୍ତ୍ରୀ ଶ୍ରୀ ବିଶ୍ୱଶର୍ମାଙ୍କ ସହିତ ଆଲୋଚନା କରିଥିବା ସୂଚନା ମିଳିଛି । ଆସାମର ମୁଖ୍ୟନଦୀ ବ୍ରହ୍ମପୂତ୍ର ଓ ଏହାର ସହାୟକ ନଦୀଗୁଡ଼ିକରେ ବନ୍ୟା ଆସିବା ଫଳରେ ୬୬,୪୫୫ ହେକ୍ଟରରୁ ଅଧିକ ଜମିରେ ଫସଲ ନଷ୍ଟ ହୋଇଛି ।
ବନ୍ୟା ପ୍ରଭାବିତଙ୍କୁ ଉଦ୍ଧାର କରିବା ପାଇଁ ପ୍ରଶାସନ ପକ୍ଷରୁ ଜୋରଦାର୍ ପ୍ରୟାସ ଆରମ୍ଭ ହୋଇଛି । ପ୍ରଭାବିତ ଅଞ୍ଚଳଗୁଡ଼ିକରେ ୫୧୪ଟି ରିଲିଫ୍ କ୍ୟାମ୍ଫ ସହ ୩୦୨ଟି ରିଲିଫ୍ ବଣ୍ଟନ କେନ୍ଦ୍ର ଖୋଲାଯାଇଛି । ଏହି ରିଲିଫ କ୍ୟାମ୍ପ ଗୁଡ଼ିକରେ ମୋଟ୍ ୧ ଲକ୍ଷ ୫୬ ହଜାର ୩୬୫ ଲୋକ ଆଶ୍ରୟ ନେଇଛନ୍ତି । ଅନ୍ୟପଟେ ପଡ଼ୋଶୀ ରାଜ୍ୟ ମେଘାଳୟରେ ମଧ୍ୟ ପ୍ରବଳ ବର୍ଷା ହେଉଥିବା ସୂଚନା ମିଳିଛି ।